ଏଫ୍ଏମ୍ୟୁରେ ଆନ୍ତଃଗ୍ରାମୀଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୮ଟି ଗ୍ରାମ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ) ଠାରେ ଆନ୍ତଃଗ୍ରାମୀଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହି ପ୍ରତିଯୋଗିତାର ଉଦ୍ଘାଟନ ତଥା ଶୁଭାରମ୍ଭ କରିଥିଲେ । ଏଥିସହିତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମୀନା ଦାସ, କ୍ରୀଡ଼ା ପରିଷଦର ଉପ-ସଭାପତି ଡ. ଭାସ୍କର ବେହେରା, କ୍ରୀଡ଼ା ଅଧିକାରୀ ସଂଗ୍ରାମ କେଶରୀ ବିଶୋଇ ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ଚତ୍ରିଖୁଣ୍ଟା, ଗଉରପୁର, ସିରେଇପୁର, ମଖାପଦା, ଗୋବରଧନପୁର, ଗୋପାଳପୁର, ଫୁଲକିଆରୀ, ଚର୍ନାପାଲ ଆଦି ୮ଟି ଗ୍ରାମ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିବସର ଖେଳରେ ଏହି ୮ଟି ଗ୍ରାମର ଖେଳାଳିଙ୍କ ମଧ୍ୟରେ ୪ଟି ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏହି ଖେଳ ଚତ୍ରିଖୁଣ୍ଟା ବନାମ ଗଉରପୁର, ଗୋପାଳପୁର ବନାମ ମଖାପଦା, ସିରେଇପୁର ବନାମ ଫୁଲକିଆରୀ, ଗୋବର୍ଦ୍ଧନପୁର ବନାମ୍ ଚର୍ନାପାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସର ମ୍ୟାଚରେ ଚତ୍ରିଖୁଣ୍ଟା, ଫୁଲକିଆରୀ, ଚର୍ନାପାଲ୍ ମଖାପଦା ବିଜୟୀ ହୋଇ କ୍ୱାଟର୍ ଫାଇନାଲ୍ରେ ଉନ୍ନୀତ ହୋଇଛନ୍ତି । ଆସନ୍ତା ଶୁକ୍ରବାର ସେମିଫାଇନାଲ୍ ଓ ଚୂଡ଼ାନ୍ତ ପର୍ଯ୍ୟାୟର ଖେଳ ଅନୁଷ୍ଠିତ ହେଉଥିବାର ଜଣା ଯାଇଛି । ସଞ୍ଜୀବ ଭଟ୍ଟାଚାର୍ଯ୍ୟ, ସୀତା ମାରାଣ୍ଡି ଓ ଏସ୍ ସିଂ ମ୍ୟାଚ୍ ଗୁଡ଼ିକର ପରିଚାଳନା କରିଥିଲେ ।