ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ମୁର୍ଷିଦାବାଦରୁ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ
ଦେବଗଡ଼ : ଦେବଗଡ଼ ପୌରାଞ୍ଚଳରୁ ଜଣେ ୧୩ ବର୍ଷୀୟା ନାବାଳିକା ଅପହରଣ ମାମଲାରେ ଅପହୃତା ନାବାଳିକାକୁ ଦେବଗଡ଼ ଥାନା ପୁଲିସ ପଶ୍ଚିମବଙ୍ଗ ମୁର୍ଷିଦାବାଦରୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତ ସାହିଦୁଲ୍ଲ ଶେଖକୁ ମଧ୍ୟ ମୁର୍ଷିଦାବାଦରୁ ଗିରଫ କରିଥିବା ଜଣାପଡିଛି। ସାହିଦୁଲ୍ଲ ଦେବଗଡ଼ ପୌରାଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ପ୍ରଲୋଭିତ କରି ନାବାଳିକାକୁ ଅପହରଣ କରିନେଇ ମୁର୍ଷିଦାବାଦ ଚାଲି ଯାଇଥିଲା।
ଗତ ୧୬ ତାରିଖ ଠାରୁ ନାବାଳିକା ନିରୁଦ୍ଧିଷ୍ଟ ସମ୍ପର୍କରେ ନାବାଳିକାର ପିତା ଗତ ୧୭ ତାରିଖ ଦିନ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅପହୃତା ନାବାଳିକାକୁ ଉଦ୍ଦାର କରାଯାଇଥିବା ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।