ଦୁର୍ଦ୍ଦାନ୍ତ ଅପରାଧୀ ସକିଲକୁ ତଡ଼ିପାର
କଟକ : ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍କୁ ତଡିପାର ନିର୍ଦ୍ଦେଶ ଦେଇଛି କଟକ କମିଶନରେଟ ପୋଲିସ । ସକିଲ୍ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବାରୁ ତା’ ପାଖକୁ ଏକ ବର୍ଷ ପାଇଁ ତଡିପାର୍ ନୋଟିସ୍ ପଠାଯାଇଛି । ସକିଲ ଏକ ବର୍ଷ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ଅଂଚଳରେ ରହିପାରିବ ନାହିଁ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସକିଲ କିଛି ଦିନ ପୂର୍ବେ ଜାମିନରେ ଆସିଥିଲା ବେଳେ ବିବାହ ମଧ୍ୟ କରିଥିଲା । ତା’ ବିବାହ ପାଇଁ କୋର୍ଟ ତାକୁ ଜାମିନ ପ୍ରଦାନ କରିଥିଲେ । ତେବେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ଜଣାପଡିବା ପରେ ଏହି ତଡିପାର୍ ନିର୍ଦ୍ଦେଶ ଦିଆଯାଇଛି । ତେବେ ତଡିପାର୍୍ ବିରୋଧରେ ସକିଲ୍ ପୋଲିସ କମିଶନର୍ଙ୍କ ନିକଟରେ ନିଜର ପକ୍ଷ ରଖିପାରିବାର ବ୍ୟବସ୍ଥା ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ, ସକିଲ ନାଁରେ ହତ୍ୟାକାଣ୍ଡ, ଗୁଳିକାଣ୍ଡ, ବୋମାମାଡ, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଭଳି ୩୦ରୁ ଅଧିକ ମାମଲା ରହିଛି । ସେହିପରି ଅନ୍ୟ ୧୧ ଜଣଙ୍କୁ ତଡିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ଶ୍ରୀ ମିଶ୍ର କହିଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ, ଓଡିଆ ଅର୍ବାନ୍ ପୋଲିସ୍ ଆକ୍ଟ ର ଧାରା ୪୬ ଓ ୪୭ ଅନୁଯାୟୀ ତଡିପାର୍ କରାଯାଇଥାଏ । ଅପରାଧ ଦୁନିଆ ସହିତ ଜଡିତ ଜଣେ ବ୍ୟକ୍ତିଙ୍କ ଉପସ୍ଥିତି ଯଦି ସ୍ଥାନୀୟ ଅଂଚଳରେ ବିଶୃଙ୍ଖଳା ସୃଷ୍ଟି କରୁଥାଏ କିମ୍ବା କରିବାର ଆଶଙ୍କା ଥାଏ ତାହେଲେ ତାକୁ ତଡିପାର୍ କରିବା ପାଇଁ କମିଶନର୍ଙ୍କ ନିକଟରେ ପ୍ରସ୍ତାବ ଆଗତ କରାଯାଇଥାଏ । ସକିଲ୍ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଯଦି ସେ ଏହି ନୋଟିସ୍କୁ ଅବମାନନା କରେ ତାହେଲେ ମଧ୍ୟ ଓଡିଶା ଅର୍ବାନ୍ ପୋଲିସ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।