ଅବକାରୀ ବିଭାଗ ଚଢଉ ୩୯୦ କେଜି ବେଆଇନ ଭାଙ୍ଗ ଜବତ, ଦୁଇ ଗିରଫ
କଟକ : କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶାନୁଯାୟୀ ଆଜି ନରାଜ ମାର୍ଥାପୁର ରେଳ ଷ୍ଟେସନ ଓ ତ୍ରିଶୂଳିଆ ପୋଲ ନିକଟରେ ଚଢଉ କରାଯାଇ ଦୁଇ ଜଣ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହିତ ୩୯୦ କେଜି ବେଆଇନ ଭାଙ୍ଗ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଗାନ୍ଧିପଲ୍ଲିର ରଣଜିତ ମଲ୍ଲିକ(୩୨) ଓ ବିହାର ରାଜ୍ୟ ଗୟା ଜିଲ୍ଲା ଟିକରି ଥାନା ଅଧିନ କୁଶାପ ଗାଁର ମନୋଜ ଗାନ୍ଧି । ସଦର ଇନ୍ସପେକ୍ଟର ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଅଜିତ ପାତ୍ର, ଦୀପକ ସାହୁ, ବିଷ୍ଣୁ ମାଝି, ଆଶିଷ ପ୍ରଧାନ ଓ ମୋନାଲିସା ଦାଶ ପ୍ରମୁଖ ଉଭୟ ଜାଗାରେ ଚଢଉ କରିଥିଲା ବେଳେ ରଣଜିତ ପାଖରୁ ୧୫୦ କେଜି ଓ ମନୋଜ ପାଖରୁ ୨୪୦ କେଜି ବେଆଇନ ଭାଙ୍ଗ ଜବତ କରାଯାଇଥିଲା । ଆଜି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।