ଓଆରଏଚଡିସି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି, ବଜାୟ ରହିବ ପଦ
କଟକ : ଓଆରଏଚଡିସି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ମଧ୍ୟ ବଜାୟ ରହିଛି। ଆସନ୍ତା ଫେବ୍ରୁଆରୀ ୨୨ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମୋକିମ୍ଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଦଣ୍ଡାଦେଶ ଦେଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ।
ସୂଚନା ଯେ, ଗତ ସେପ୍ଟେମ୍ବର ୨୯ ତାରିଖରେ ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍(ଓଆରଏଚଡିସି) ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟନାରାୟଣ ଷଡଙ୍ଗୀ ଏହି ମାମଲାର ବିଚାର କରି ଓଆରଏଚଡିସିର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହିତ ଓଆରଏଚଡିସି କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଂଜନ ମହାପାତ୍ରଙ୍କୁ ମଧ୍ୟ ୩ ବର୍ଷ କାରାବାସ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ମଧ୍ୟ ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିଲେ । ସମସ୍ତ ୪ ଜଣ ଦୋଷୀଙ୍କୁ ଜେଲ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ଚାଲେଂଜ କରି ଶ୍ରୀ ମୋକିମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି ।