ଟି-୨୦ ବିଶ୍ୱକପ: ଅଭ୍ୟାସ ମ୍ୟାଚ୍ରେ ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ବ୍ରିସବେନ: ଆଇସିସି ଟି-୨୦ ବିଶ୍ୱକପ-୨୦୨୨ର ଅଭ୍ୟାସ ମ୍ୟାଚ୍ରେ ପାକିସ୍ତାନକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ। ନିଜର ପ୍ରଥମ ଅଭ୍ୟାସକୁ ଜିତି ବିଶ୍ୱକପ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିଛି ଜୋଶ ବଟଲରଙ୍କର ଟିମ ଇଂଲଣ୍ଡ।
ବ୍ରିସବେନର ଆୟୋଜିତ ଟି-୨୦ ବିଶ୍ଵକପର ଅଫିସିଆଲ ଓ୍ଵାର୍ମ ଅପ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଥିଲା। ପୁଣି ସେହି ପଡିଆରେ ଇଂଲଣ୍ଡ ପାକିସ୍ତାନକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ୧୯-୧୯ ଓଭର ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୮ ଓ୍ଵିକେଟ୍ ବିନିମୟରେ ୧୬୦ ରନ କରିଥିଲା। ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ଆଜିର ଓ୍ଵାର୍ମଅପ୍ ମ୍ୟାଚ୍ ଖେଳି ନାହାନ୍ତି। ଜବାବରେ ଇଂଲଣ୍ଡ ୧୪.୪ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୧ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପାକିସ୍ତାନ ପାଇଁ ଏହି ମ୍ୟାଚ୍ରେ ସବୁଠୁ ବଡ କଥା ହେଉଛି ଆହତ ସମସ୍ୟାରୁ ମୁକୁଳି ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜୁଲାଇ ପରେ ଶାହିନ କୌଣସି ମ୍ୟାଚ୍ ଖେଳିନଥିଲେ। ସେ ଆଜିର ମୁକାବିଲାରେ ୨ ଓଭର ଫିଙ୍ଗି ମାତ୍ର ୭ ରନ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ମହମ୍ମଦ ଓ୍ଵାସିମ ୨.୪ ଓଭରରେ ୧୬ ରନ ଦେଇ ୨ ସଫଳତା ପାଇଛନ୍ତି।
ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ବିନା ଅଭ୍ୟାସ ମ୍ୟାଚ୍କୁ ଓହ୍ଲାଇଥିବା ପାକିସ୍ତାନ ପକ୍ଷରୁ ପ୍ରତ୍ୟେକ ବ୍ୟାଟସମ୍ୟାନଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ କେହି ବଡ ସ୍କୋର କରିପାରି ନଥିଲେ। ଶେଷ ଆଡକୁ ମହମ୍ମଦ ଓ୍ଵାସିମଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ପାକିସ୍ତାନ ନିର୍ଦ୍ଧାରିତ ୧୯ ଓଭର୍ରେ ୮ ୱିକେଟ ହରାଇ ୧୬୦ ରନ କରିଥିଲା। ଦଳ ପକ୍ଷରୁ ଶାନ ମାସୁଦ ୩୯, ହାଇଦର ଅଲୀ ୧୮, ଅଧିନାୟକ ଶାଦାବ ଖାନ ୧୪, ଇଫତିକାର ଅହମ୍ମଦ ୨୨, ଆସିଫ ଅଲୀ ୧୪, ମହମ୍ମଦ ନୱାଜ ୧୪ ଓ ମହମ୍ମଦ ୱାସିମ ୨୬ ରନ କରିଥିଲେ। ସେହିପରି ଇଂଲଣ୍ଡ ପକ୍ଷରୁ ଡାଭିଡ ୱିଲ୍ଲୀ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ବେନ ଷ୍ଟୋକ୍ସ, ସାମ କୁରାନ, କ୍ରିସ ଜୋର୍ଡାନ ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଥିଲେ।
୧୬୧ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ୩ ରନରେ ଓପନର ଫିଲ ସଲ୍ଟ(୧)ଙ୍କୁ ହରାଇଥିଲା। ଏହାପରେ ଆଲେକ୍ସ ହେଲ୍ସ(୯) ପ୍ୟାଭିଲିୟନ ଫେରିଥିଲେ। ତେବେ ବେନ ଷ୍ଟୋକ୍ସ ୧୮ ବଲରେ ୩୬ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୬ ବଲରେ ୨୮ ରନ କରି ସ୍ଥିତି ସମ୍ଭାଳିଥିଲେ। ଶେଷ ଭାଗରେ ହ୍ୟାରୀ ବ୍ରୁକ୍ସ ୨୪ ବଲରେ ଅପରାଜିତ ୪୫ ଓ ସାମ କୁରାନ ୧୪ ବଲରେ ଅପରାଜିତ ୩୩ ରନର ଇନିଂସ ଖେଳି ଇଂଲଣ୍ଡକୁ ୨୬ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୨ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ଶାଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଆଜି ପ୍ରଥମ ମ୍ୟାଚ୍ ଖେଳୁଥିବା ଶାହୀନ ଶାହ ଆଫ୍ରିଦି ୨ ଓଭରରେ ୭ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି।