ଟି-୨୦ ବିଶ୍ୱକପ : ଓ୍ଵେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲାଣ୍ଡ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପର ଦ୍ଵିତୀୟ ଦିନ ସୋମବାର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ଗ୍ରୁପ-ବିରେ ଓ୍ଵେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ହୋବାର୍ଟରେ ମ୍ୟାଚ୍ ଖେଳାଯାଇଥିଲା । ଗ୍ରୁପ୍ ବି’ର ଆଜିର ମ୍ୟାଚ୍ରେ ସ୍କଟଲ୍ୟାଣ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ଫଳରେ ଏଥିରେ ଦୁଇ ଥରର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ୍କୁ ଜବରଦସ୍ତ ଝଟକା ଦେଇଛି ସ୍କଟଲ୍ୟାଣ୍ଡ। ପ୍ରଥମ ଦିନ ଖେଳରେ ନାମ୍ଵିଆ ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଜି ଷ୍ଟଟଲାଣ୍ଡ ଓ୍ଵେଷ୍ଟଇଣ୍ଡିଜ ପରି ବଡ ଦଳକୁ ହରାଇଛି। ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଆଇସିସିର ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ଦେଶ ତଥା ଟେଷ୍ଟ ଖେଳୁଥିବା ଦେଶ। ହେଲେ ସ୍କଟଲ୍ୟାଣ୍ଡ ଓ ନାମିବ୍ୟା ଆସୋସିଏଟ ଦେଶର ସଦସ୍ୟ। ତଥାପି ଦୁଇ ଦୁର୍ବଳ ଦଳ ନିଜ ନିଜର ପ୍ରତିପକ୍ଷଙ୍କୁ ହରାଇ ଇତିହାସ ରଚିଛନ୍ତି।
What a performance
— ICC (@ICC) October 17, 2022![]()
Scotland get their campaign underway with a commanding victory against West Indies#T20WorldCup | #WIvSCO |
https://t.co/TLOj3XMxLE pic.twitter.com/dc2hvTIGi7
ମ୍ୟାଚ୍ରେ ସ୍କଟଲାଣ୍ଡ ଦଳର ଓପନର ଜର୍ଜ ମୁନସିଙ୍କ ଅର୍ଦ୍ଧଶତକ ବଳରେ ବଡ ସ୍କୋର କରିବାରେ ସଫଳ ହୋଇଥିଲା। ମୁନସିଙ୍କ ଧୈର୍ଯ୍ୟପୂର୍ଣ୍ଣ ୫୩ ବଲରେ ୬୬ ରନ ବଳରେ ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଅଲଜାରି ଯୋଶେଫ ଏବଂ ଜାସନ ହୋଲଡର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
୧୬୧ ରନର ଟାର୍ଗେଟ ପାଇଥିବା ୱେଷ୍ଟଇଣ୍ଡିଜ ଦମଦାର ଆରମ୍ଭ କରିଥିଲା। ଦଳ ୫.୧ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୫୩ ରନ ମଧ୍ୟ କରି ନେଇଥିଲା। କିନ୍ତୁ ଆଉ ୨୬ ରନରେ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ସ୍କଟଲ୍ୟାଣ୍ଡର ବାମହାତୀ ସ୍କିନର ମାର୍କ ୱାଟ୍ଟ ୧୨ ରନରେ ୩ ୱିକେଟ ଦଖଲ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେହିପରି ଅପସ୍ପିନର ମାଇକେଲ ଲେସ୍କ ୧୫ ରନରେ ୨ ୱିକେଟ ଦଖଲ କରିଛନ୍ତି। ସେ ଅଧିନାୟକ ନିକୋଲସ ପୂରନ ଓ ରୋଭମାନ ପାୱେଲଙ୍କ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଡାହାଣ ହାତୀ ଦ୍ରୁତ ବୋଲର ବ୍ରାଡ ହ୍ୱିଲ ପ୍ରଥମରୁ ହିଁ ଇଣ୍ଡିଜକୁ ଝଟକା ଦେଇଥିଲେ। ନିଜର ଦ୍ୱିତୀୟ ସ୍ପେଲରେ ମଧ୍ୟ ସେ ୱିକେଟ ଦଖଲ କରିଛନ୍ତି। ଇଣ୍ଡିଜ ପକ୍ଷରୁ ଜାସନ ହୋଲ୍ଡର(୩୩ ବଲରେ ୩୮) କିଛି ସମୟ ଲଢ଼ିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଅନ୍ୟମାନଙ୍କ ମଧ୍ୟରେ କାଏଲ ମେୟର୍ସ ୨୦, ଇଭିନ ଲୁଇସ ୧୪ ଓ ବ୍ରାଣ୍ଡନ କିଙ୍ଗ ୧୭ ରନର ଇନିଂସ ଖେଳିଥିଲେ। ଏହି ୪ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ଇଣ୍ଡିଜ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନାହାନ୍ତି। ଶେଷରେ ଇଣ୍ଡିଜ ଟିମ୍ ୧୮.୩ ଓଭରରେ ୧୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚ୍ ହାରିଥିବାରୁ ଦଳ ଉପରେ ଚାପ ସୃଷ୍ଟି ହୋଇଛି। ଏବେ ସୁପର ୧୨କୁ ଯିବା ପାଇଁ ହେଲା ଦଳକୁ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଯେମିତି ହେଲେ ବି ଜିତିବାକୁ ପଡ଼ିବ। ନଚେତ ପୂରନଙ୍କ ଟିମ୍କୁ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦା ହେବାକୁ ପଡ଼ିବ।