ଧାମନଗର ଉପ-ନିର୍ବାଚନ; ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ
ଭଦ୍ରକ : ଭଦ୍ରକ ଜିଲା ଧାମନଗର ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ। ତେବେ ସୋମବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ କେଉଁ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ନିର୍ବାଚନ ମଇଦାନରେ କଡ଼ା ମୁକାବିଲା ହେବ ତାହା ଜଣାପଡ଼ିବ।
ସେହିପରି ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ । ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ, ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ଅଟେ । ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ଏମ୍-୩ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର କରାଯିବ । ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୨ ଗୋଟି ବୁଥ୍ ରେ ଏଥର ଭୋଟ ଗ୍ରହଣ କରାଯିବ । ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ୍ ଜରିଆରେ ସେମାନେ ଘରେ ରହି ମତଦାନ କରିପାରିବେ ଓ ଏଥି ନିମନ୍ତେ ୨୦ ଗୋଟି ପୁଲିଙ୍ଗ ପାର୍ଟିଙ୍କ ସହ ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ଧାମନଗର ଉପନିର୍ବାଚନରେ ଭୋଟର ଫଟୋ ପରିଚୟ ପତ୍ର ସହ ଅନ୍ୟ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମତଦାନ ସମୟରେ ଭୋଟରମାନେ ବ୍ୟବହାର କରିପାରିବେ । ଏଥର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ତିନିଗୋଟି ପର୍ଯ୍ୟାୟରେ ସେମାନଙ୍କ ସଂପର୍କରେ ପ୍ରଚାରପ୍ରସାର କରିବେ । ଏଥର ଧାମନଗର ଉପନିର୍ବାଚନରେ ୧୨୬ଗୋଟି ବୁଥ୍ ରେ ୱେବ୍ କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି । ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍ ରାଜ୍ୟ ପୋଲିସବଳ ନିୟୋଜିତ ହେବେ । ସମୁଦାୟ ୨୫୨ ଗୋଟି ବୁଥ୍ ମଧ୍ୟରୁ ୧୦୭ଟି ବୁଥ୍ କୁ ଉତେଜନାପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।