ବାଲେଶ୍ୱର ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତାର ପଞ୍ଚମ ଦିବସ
୩୪ଟି ୫-ଟି ବିଦ୍ୟାଳୟକୁ ୩୧୦ଟି ଫୁଟବଲ ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ସହର ଖ୍ରୀଷ୍ଟିଆନ ହାଇସ୍କୁଲ ଖେଳ ପଡ଼ିଆରେ ଜିଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ଓ ବାଳକମାନଙ୍କ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତା-୨୦୨୨ ଶନିବାର ପଞ୍ଚମ ଦିନରେ ପହଞ୍ôଚଛି । ଏହି ପରିପ୍ରେକ୍ଷୀରେ ୩ଟି ମ୍ୟାଚ୍ ବାଳିକା ବିଭାଗରେ ଖେଳା ଯାଇଥିଲା । ଅତିଥି ଭାବେ ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ୧୮ ନଂ. ୱାର୍ଡ଼ମେମ୍ବର ଅର୍ପିତା ପ୍ରିୟଦର୍ଶନୀ ପଟ୍ଟନାୟକ, ପୂର୍ବତନ କ୍ରୀଡ଼ା ଶିକ୍ଷକ ନରେନ୍ଦ୍ର ସାହୁ, ପୂର୍ବତନ ଫୁଟବଲ ଖେଳାଳୀ ସଂଗ୍ରାମ କିଶୋର ସିଂ ଯୋଗଦେଇଥିଲେ ।
ପ୍ରଥମ ମ୍ୟାଚ୍ ପୂର୍ବାହ୍ନ ୯ଟା ବାଲେଶ୍ୱର ମ୍ୟୁନିସିପାଲିଟି ସହ ବାହାନଗା ବ୍ଲକ ମଧ୍ୟରେ ଖେଳାଯାଇଥିଲା । ଏଥିରେ ବାଲେଶ୍ୱର ମ୍ୟୁନିସିପାଲିଟି ୭ ।୦ ଗୋଲରେ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ବସ୍ତା ବ୍ଲକ ଓ ସୋର ବ୍ଲକ ମଧ୍ୟରେ ଖେଳାଯାଇଥିବା ବେଳେ ବସ୍ତା ବ୍ଲକ ୩ ।୦ରେ ବିଜୟୀ ଏବଂ ତୃତୀୟ ମ୍ୟାଚ୍ ଅପରାହ୍ନ ୩ଟା ସମୟରେ ବାଲେଶ୍ୱର ମ୍ୟୁନିସିପାଲିଟି ଓ ବସ୍ତା ବ୍ଲକ ମଧ୍ୟରେ ଖେଳାଯାଇଥିବା ବେଳେ ବାଲେଶ୍ୱର ମ୍ୟୁନିସିପାଲିଟି ୧/୦ ଗୋଲରେ ବିଜୟୀ ହୋଇଛି । ମ୍ୟାଚ୍ଗୁଡ଼ିକୁ ସୁଦାମ ବୁଗୁଡ଼ାଇ, ପ୍ରଦୀପ କୁମାର ଦାସ, ସୀତା ମାଝୀ, ତୋଫାନ ସିଂ ପରିଚାଳନା କରିଥିଲେ । ଏହି ଅବସରରେ ସୋର ଓ ବାହାନଗା ବ୍ଲକର ୩୪ଟି ୫-ଟି ବିଦ୍ୟାଳୟକୁ ୩୧୦ଟି ଫୁଟବଲ ପ୍ରଦାନ କରାଯାଇଥିଲା । ଅତିଥି ଭାବେ ଅତିରିକ୍ତ ଜିଲା ଅଧିକାରୀ ନିତ୍ୟାନନ୍ଦ ବାରିକ, ନୟନା କୁମାରୀ ସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ଜେନା, ସଦର ଏବିଓ ରାମଚେନ୍ଦ୍ର ବେହେରା ଯୋଗଦେଇଥିଲେ ।
ସୂଚନା ଯେ, ଏହି ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତା ଗତ ମଙ୍ଗଳବାର ଉଦ୍ଘାଟିତ ହୋଇଥିଲା । ଏହି ପ୍ରତିଯୋଗୀତା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଜିଲାର ମୋଟ୍ ୧୨ଟି ବ୍ଲକରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ (୧୭ ବର୍ଷରୁ କମ୍) ଦଳ ଏବଂ ବାଲେଶ୍ୱର ମ୍ୟୁନିସିପାଲିଟିର ୨ଟି ଦଳକୁ ମିଶାଇ ପୁଅ ୧୩ ଓ ଝିଅ ୧୩ଟି ମୋଟ୍ ୨୬ଟି ଦଳ ଭାଗ ନେଇଥିବାର ଜଣାପଡ଼ିଛି ।