ବନବିଭାଗର ପାଟ୍ରୋଲିଂ ବୋଲେରୋକୁ ଆକ୍ରମଣ କଲା ଦନ୍ତା, ୬ କର୍ମଚାରୀ ଆହତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟର ଏକ ଦନ୍ତା ହାତୀ ଖୁମକୁଟ ଅଞ୍ଚଳରେ ଉପଦ୍ରବ । ଖବରପାଇ ବନବିଭାଗ ଦନ୍ତାଟିକୁ ଘଉଡାଇବା ପାଇଁ ଯାଇଥିଲେ । ମାତ୍ର ଦନ୍ତାଟି ହିଂସ୍ରମୁଖା ହୋଇ ବନବିଭାଗର ପାଟ୍ରୋଲିଂ ବୋଲେରୋ ଗାଡ଼ିକୁ ଆକ୍ରମଣ କରିବା ସହ ଠେଲି ଠେଲି ନେଇ ନାଳ ଭିତରକୁ ପକାଇ ଦେଇଛି । ଏଥିରେ ବନ କର୍ମଚାରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି ।
ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ଵର ବିଟ ଅଧୀନ ଗୋଡ଼ିଖୋଳା ନିକଟ ଖୁମକୁଟ ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଘଟାଇ ଚାଲିଥିବା ନେଇ କୁଲଡିହା ବନବିଭାଗକୁ ଖବର ଆସିଥିଲା। ଏନେଇ ବନପାଳ ଭାଗ୍ୟଶ୍ରୀ ଦିବେଦୀ, ବନରକ୍ଷୀ ଶଶିକଳା ସାହୁ ଓ ଅନ୍ୟ ୪ଜଣ ସବୁଜବାହିନୀ କର୍ମଚାରୀ ବୁଧବାର ରାତି ସାଢ଼େ ୧୦ଟାରେ ସେଠାରେ ପହଞ୍ଚି ଉକ୍ତ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ୧ଘଣ୍ଟା ଧରି ଏହି ଦନ୍ତାଟି ବନବିଭାଗ କର୍ମଚାରୀଙ୍କ ସହ ଲୁଚକାଳି ଖେଳି ଶେଷରେ ପାଲଟା ଆକ୍ରମଣ କରିଥିଲା । ଦନ୍ତାଟି ପାଟ୍ରୋଲିଂରେ ଯାଇଥିବା ବୋଲେରୋକୁ ଠେଲି ଠେଲି ଏକ ନାଳ ଭିତରେ ଫିଙ୍ଗି ଦେଇଥିବା ବେଳେ ଭିତରେ ବସିଥିବା ୬ଜଣ କର୍ମଚାରୀ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗାଡ଼ି ଚାଳକ ମୁନ୍ନା ରାଉତ ବାରମ୍ବାର ହର୍ଣ୍ଣ ବଜାଇବା ଯୋଗୁ ହାତୀଟି ଜଙ୍ଗଲକୁ ପଳାଇବା ପରେ କର୍ମଚାରୀମାନେ ଗାଡ଼ି ଭିତରୁ ବାହାରି ଥିଲେ । ଏହି ହାତୀ ଆକ୍ରମଣରେ ବନ କର୍ମଚାରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି ବୋଲି ବନପାଳ ଶ୍ରୀମତୀ ଦ୍ବିବେଦୀ କହିଛନ୍ତି । ସେପଟେ ଖବରପାଇ କୁଲଡିହା ରେଞ୍ଜର ଅନନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି। ଖବର ଲେଖା ହେବା ବେଳକୁ ବୋଲେରୋକୁ ନାଳ ଭିତରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା ବେଳେ ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନାକୁ ଅଣାଯାଉଥିବା ଜଣାପଡ଼ିଛି।