ବାତ୍ୟା ନେଇ ସୂଚନା ନାହିଁ ! ଗୁଜବକୁ ନୁହେଁ, ଆଇଏମଡିକୁ ଭରସା କରନ୍ତୁ
ଭୁବନେଶ୍ୱର : ମହାବାତ୍ୟା ଗୁଜବରେ ବିଶ୍ୱାସ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି । ୭ ଦିନ ପୂର୍ବରୁ ବାତ୍ୟା ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହିମାସ ତୃତୀୟ ସପ୍ତାହରେ ଏକ ମହାବାତ୍ୟା ଆସିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଏହି ପ୍ରତିକ୍ରିୟା ଦିଆଯାଇଛି।
‘ଓଡ଼ିଶାକୁ ମହାବାତ୍ୟା ମାଡ଼ି ଆସୁଛି, ଘଂଟାକୁ ୨୫୦ କିମି ବେଗରେ ପବନ ବୋହିବ ।’ ଗତକାଲି ଆମେରିକାନ୍ ସଂସ୍ଥା ଜିଏଫଏସ ଏପରି ପୂର୍ବାନୁମାନ କରିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ରାଜ୍ୟବାସୀ । ବଙ୍ଗୋପସାଗର ରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ଉକ୍ତ ସଂସ୍ଥା ଉଲ୍ଲେଖ କରିଥିଲା । ହେଲେ ଆଜି ଉକ୍ତ ସଂସ୍ଥା ତରଫରୁ ବାତ୍ୟା ସମ୍ପର୍କରେ କୌଣସି ସୂଚନା ପ୍ରସାରଣ କରାଯାଉନି । ତେଣୁ ବାତ୍ୟାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ । ଗୋଟିଏ ମଡେଲକୁ ଆଧାର କରି ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମଡେଲକୁ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳିନ କରାଯାଏ । ଏଥିସହ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ବଳକୁ ବ୍ୟବହାର କରି କୌଣସି ସୂଚନା ଦିଆଯାଇଥାଏ । ତେଣୁ ଏହି ସଂସ୍ଥା ଅଧିକ ଭରସାଯୋଗ୍ୟ ।
ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍ ଭଲ, ସଠିକ ଓ ଭରସାଯୋଗ୍ୟ । ତେଣୁ କୌଣସି ବ୍ୟକ୍ତିବିଶେଷ, ଅନୁଷ୍ଠାନ କିମ୍ବା ମଡେଲର ପୂର୍ବାନୁମାନକୁ ଭରସା କରନ୍ତୁ ନାହିଁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ବିଶ୍ୱାସ କରନ୍ତୁ ବୋଲି କହିଛନ୍ତି ଆଇଏମଡି ଡିଜି । ଏଥିସହ ସେ କହିଛନ୍ତି, ଉତର ଆଣ୍ଡାମାନ ସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ପଶ୍ଚିମ-ଉତର ପଶ୍ଚିମ ଦିଗକୁ ଯାଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାପରେ ଆଉ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଉତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ତାହା ମଧ୍ୟ ପଶ୍ଚିମ-ଉତର ପଶ୍ଚିମ ଦିଗକୁ ଗତି କରିବ । ଅର୍ଥାତ ତାମିଲନାଡ଼ୁ, ଆନ୍ଧପ୍ରଦେଶର ଦକ୍ଷିଣ ଭାଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଲାଗୁ ନ ଥିବା ବେଳେ ଓଡ଼ିଶା ଉପରେ ମଦ୍ୟ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେବ ନାହିଁ ।
ସୂଚନା ଯେ, ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ୍ ସିଷ୍ଟମ୍’ (ଜିଏଫ୍ଏସ୍) ସୂଚନା ଦେଇଥିବା କଥା ‘ଦି ବିଜିନେସ୍ ଷ୍ଟାଣ୍ଡାର୍ଡ’ ରିପୋର୍ଟ କରିଛି । କାନଡାସ୍ଥିତ ସସ୍କାଚ୍ୱାନ୍ ବିଶ୍ୱବିଦ୍ୟାଳୟର ପାଣିପାଗ ଓ ଜଳବାୟୁ ଉପରେ ‘ପିଏଚ୍ଡି’ କରୁଥିବା ଗବେଷକ ତଥା ପାଣିପାଗ ବିଶେଷଜ୍ଞ ମୋସ୍ତାଫା କମଲ୍ ପଲାଶ୍ ସୋମବାର ଦିନ କହିଛନ୍ତି, ଅକ୍ଟୋବର ୧୭ରେ ସୃଷ୍ଟି ହେବାର ସମ୍ଭାବନା ଥିବା ଲଘୁଚାପଟି ଅକ୍ଟୋବର ୧୮ ସୁଦ୍ଧା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଜଣାପଡୁଛି । ଏହି ସାମୁଦ୍ରିକ ବାତ୍ୟାର ନାମ ‘ସିତ୍ରାଂ’ ରଖାଯିବ ବୋଲି ସେ କହିଛନ୍ତି । ଏହି ସମ୍ଭାବ୍ୟ ବାତ୍ୟା ବାଲାଂଦେଶର ସୁନ୍ଦରବନ ଉପକୂଳ ଓ ଭାରତର ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ୩ ଦିନ ତଳେ ପୂର୍ବାନୁମାନ ସୂଚନା ଦେଇଥିଲା । କିନ୍ତୁ, ରବିବାର ଦିନ ଜାରି ପୂର୍ବାନୁମାନରେ ସୂଚନା ଦିଆଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ । ମୋସ୍ତାଫା କମଲ୍ ପଲାଶ୍ ‘ଦି ବିଜିନେସ୍ ଷ୍ଟାଣ୍ଡାର୍ଡ’କୁ କହିଛନ୍ତି, ଏହି ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଏବଂ ଭାରତର ପଶ୍ଚିମବଙ୍ଗ ସ୍ଥିତ ସୁନ୍ଦରବନ ଉପକୂଳରେ ସ୍ଥଳଭାଗ ପ୍ରବେଶ (ଲ୍ୟାଣ୍ଡଫଲ୍) କରିବାର ସମ୍ଭାବନା ଅଛି ।