‘ଇନ୍ଦ୍ରଧନୁ’ପକ୍ଷରୁ ପାଳିତ ହେଲା କୁମାର ଉତ୍ସବ
ବାଲେଶ୍ୱର : ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ଓ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ୬୪ତମ କୁମାର ଉତ୍ସବ ପାଳିତ ହୋଇଯାଇଛି । କରୋନା କଟକଣା ପାଇଁ ଦୁଇବର୍ଷ ଧରି ଫିକା ପଡ଼ିଥିବା ଏହି ଉତ୍ସବ ଚଳିତବର୍ଷ ବେଶ ଆକର୍ଷଣୀୟ କରିବା ପାଇଁ ଉଭୟ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି ।
ନୃତ୍ୟ ସଙ୍ଗୀତ କଳା ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପାଳ ସବିତା ସାହୁ ଓ ସମାଜସେବୀ ସୁବାସିନୀ ଜେନା ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଉତ୍କଳୀୟ ସଂସ୍କୃତିରେ କୁମାର ଉତ୍ସବର ମହତ୍ୱ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ । ଦୀର୍ଘ ୬୪ବର୍ଷ ଧରି ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ଅନୁଷ୍ଠାନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଉତ୍ସବ କମିଟି ସଭାପତି ଶରତ ଚନ୍ଦ୍ର ଦାଶ ଏଥିରେ ପୌରୋହିତ୍ୟ କରିବା ସହ କୁମାର ଉତ୍ସବର ଇତିହାସ ଓ ପୌରାଣିକ ତଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଂପାଦକ ବ୍ରହ୍ମନାଥ ରଥ ପ୍ରକସୂଚନା ପ୍ରଦାନ ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ନୃତ୍ୟ ସଙ୍ଗୀତ କଳାମନ୍ଦିର ପୁରାତନ ଛାତ୍ର ସାଂସଦର ଉପ-ସଭାପତି କଲ୍ୟାଣ ଚାନ୍ଦ ଏଥିରେ ଯୋଗଦେଇ ଆସନ୍ତା ବର୍ଷଠାରୁ ଏହି ଉତ୍ସବକୁ ବ୍ୟାପକ ଆକାରରେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପୁରାତନ ଛାତ୍ର ସଂସଦର ଯୁଗ୍ମ ସଂପାଦକ ମଣିଭଦ୍ର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ୪୫ଜଣ ଛାତ୍ରଛାତ୍ରୀ ଗୁରୁ ଭାସ୍କର ଚନ୍ଦ୍ର ଖିଲାରଙ୍କ ନିର୍ଦ୍ଦେଶନାରେ କୁମାର ପୂର୍ଣ୍ଣିମା ସଙ୍ଗୀତ ଗାନ କରିଥିଲେ । ସଭାପରେ ସ୍କୁଲର ୯୦ଜଣ ଛାତ୍ରୀ କୁଆଁର ପୁନେଇ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ଗୁରୁ ଉର୍ମିଳା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରୀ ଅରୋଦିପ୍ତା, ଏଲି.ମେହେକ ଓ କାକଲି ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଗୁରୁ ଭୁବନ ମୋହନ ପ୍ରଧାନ ସଙ୍ଗୀତ ପରିବେଷେଣ କରିଥିବା ବେଳେ ତବଲାରେ ଗୁରୁ ନନ୍ଦ କିଶୋର ଦାସ, ପଖୌଜରେ ପ୍ରଭାକର ଜେନା ଓ ବେହେଲାରେ ଗୁରୁ ମନୋରଂଜନ ପଣ୍ଡା ସହଯୋଗ କରିଥିଲେ । ପୁରାତନ ଛାତ୍ରୀ ସୁଶ୍ରୀ ବେହେରାଙ୍କ ସଂଯାଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଲିଖିତ ବ୍ୟଙ୍ଗ ନାଟକ ପୁଲିସ ଫୁଲିସକୁ ମଂଚସ୍ତ କରାଯାଇଥିଲା । ଏହାର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ପୁରାତନ ଛାତ୍ର ଅଜୟ ଆଚାର୍ଯ୍ୟ । ସହଯୋଗ କରିଥିଲେ ଅର୍ଣ୍ଣବ କର । ଅଜୟ, ଅର୍ଣ୍ଣବ, ଶ୍ୟାମରାୟ, ଆଶିଷ,ଶୁଭଙ୍କର ବର୍ଦ୍ଧନ, ରଶ୍ମି, ଅନନ୍ତ, ସତ୍ୟବ୍ରତ ଓ ସୁସ୍ମିତା ଏଥିରେ ଅଭିନୟ କରିଥିଲେ ।