ବାଲେଶ୍ୱର : ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲାସ୍ତରୀୟ ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ମିଶନ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଶାରୀରିକ ଓ ମାନସିକ ବିକାଶରେ ଫୁଟବଲ ଭଳି କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପ୍ରତି ଭୂବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍ ଠାରେ ୧୭ବର୍ଷରୁ କମ ବର୍ଗର ବାଳିକା ବିଭାଗ ଫିଫା ୱାଲ୍ର୍ଡ କପ୍ ଆୟୋଜନ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ବାଳକ ବାଳିକାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ରାଜ୍ୟବ୍ୟାପୀ ଏହିଭଳି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଥିଲେ ।
ଜିଲା ଶିକ୍ଷାଧିକାରୀ ବିଷ୍ଣୁପ୍ରସାଦ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଫକୀରମୋହନ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଭାସ୍କର ବେହେରା, ବାଲେଶ୍ୱର ଜିଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ, ସମ୍ପାଦକ ଅଭୟ ଦାସ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରି, ପବିତ୍ର ମୋହନ ବାରିକ ଓ ଧରଣୀଧର ପାତ୍ର ପ୍ରମୁଖ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତ୍ୟେକ କ୍ରୀଡ଼ାକୁ ନିୟମ ମଧ୍ୟରେ ସତର୍କତାର ସହ ଖେଳିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପୋଲିସ ହାଇସ୍କୁଲର ଛାତ୍ରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସଭାପରେ ବାଲେଶ୍ୱର ଜିଲା ସ୍କୁଲ, ନୟନା କୁମାରୀ ହାଇସ୍କୁଲ, ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଉନ ହାଇସ୍କୁଲ ଓ ମଡର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ପ୍ରତ୍ୟେକ ବ୍ଲକରୁ ବାଳକ ଓ ବାଳିକା ବର୍ଗର ଗୋଟିଏ ଲେଖାଏଁ ଓ ବାଲେଶ୍ୱର ପୌରାଂଚଳରୁ ଗୋଟିଏ ଲେଖାଏଁ ଦଳ, ଏହିପରି ମୋଟ ୧୩ଟି ବାଳକ ଓ ୧୩ଟି ବାଳିକା ଦଳ ଅଂଶଗ୍ରହଣ କରୁଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଟି ଦଳରେ ୨୦୮ଜଣ ବାଳକ, ୨୦୮ଜଣ ବାଳିକା, ୬୪ଜଣ ଟିମ୍ ମ୍ୟାନେଜର ଓ କୋଚ ଏବଂ ୨୦ଜଣ ଅଫିସିଆଲ ଯୋଗ ଦେଇଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ମ୍ୟାଚ ଖେଳାଯିବା ସହ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି । ତାରାପଦ ସେଠୀ, ଅମୂଲ୍ୟ କୁମାର ରାଉତ, ଶେଖ ଅବଦୁଲ ହାକିମ, ଚିରଞ୍ଜିବ ପାତ୍ର, ବାବାଜୀ ଚରଣ ପାଢୀ, ଅପୂର୍ବ ରଞ୍ଜନ ଖୁଣ୍ଟିଆ, ଜୟନ୍ତ କୁମାର ପଣ୍ଡା, ଅଞ୍ଜନ ଚାନ୍ଦ, ବାମନ ଚରଣ ମହାନ୍ତି, ସ୍ୱପ୍ନେନ୍ଦୁ ଶେଖର ଆଚାର୍ଯ୍ୟ, ରତିକାନ୍ତ ବେହେରା, ଗୋପାଳ ନାୟକ, ପ୍ରଦୀପ କୁମାର ଦାସ, ପର୍ଶୁରାମ ସାସମଲ, ପ୍ରଦୀପ ଦାସ, ସୀତା ମାଝୀ, ଗଗନ ବିହାରୀ ଦାସ, ଚକ୍ରଧର ଜେନା, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି ।