୩ୟ ଦିନିକିଆରେ ୭ ୱିକେଟ୍ରେ ଜିତିଲା ଭାରତ, ୨-୧ରେ ଶୃଙ୍ଖଳା ବିଜୟୀ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଭାରତ ୭ ୱିକେଟ୍ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୯ ରନରେ ଅଲଆଉଟ ହୋଇଯାଇଥିଲା। ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଦିନିକିଆ ସ୍କୋର। ସିରିଜ୍ ଜିତିବାକୁ ୫୦ ଓଭରରେ ୧୦୦ ରନର ଟାର୍ଗେଟ ପାଇଥିବା ଭାରତ ୩ଟି ୱିକେଟ ହରାଇ ଏହାକୁ ହାସଲ କରି ନେଇଛି। ୧୦୦ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୧ ଓଭରରେ ୩ୱିକେଟ୍ ହରାଇ ପୂରା କରିଛି। ଏଥି ସହିତ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାକୁ ୨-୧ରେ ବିଜୟୀ ହୋଇଛି।
ଭରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଅତିଥି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମାତ୍ର ପୂର୍ବପରି ୨ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଜି ଧୂଆଁଧାର ବ୍ୟାଟିଂ କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ନିକଟରେ ସେମାନେ କମ ସମୟ ମଧ୍ୟରେ ଆତ୍ମସମର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ଟିମର ସମସ୍ତ ଖେଳାଳି ୯୯ ରନ୍ ସଂଗ୍ରହ କରିପାରିଥିଲେ। ପୂରା ଟିମ୍ ୨୭.୧ ଓଭରରେ ଅଲ୍ଆଉଟ୍ ହୋଇଥିଲେ। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିଲା। ୱାସିଂଟନ ସୁନ୍ଦର, ଆଭେସ ଖାନ ଓ ଶହବାଜ୍ ଅହମଦ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ କୁଲଦୀପ ଯାଦବ କମାଲ କରିଥିଲେ। ସେ ୪.୧ ଓଭର ବୋଲିଂ କରିଥିଲେ ଏବଂ ଗୋଟିଏ ମେଡେନ୍ ଓଭର ନେଇଥିଲା ବେଳେ ୧୮ ରନ୍ ଖର୍ଚ୍ଚ କରିଥିଲେ। ଆଭେସ୍ ଖାନ୍ ୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିଲେ। ସେ ମାତ୍ର ୮ ରନ୍ ଖର୍ଚ୍ଚ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ହେନ୍ରିଚ୍ କ୍ଲାସେଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଜନେମ୍ୟାନ୍ ମଲାନ ୨୩ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ୧୫ ରନ୍ ସଂଗ୍ରହ କରିଥିଲା ବେଳେ ମାର୍କୋ ଜନ୍ସେନ୍ ୧୯ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୪ ରନ୍ ଯୋଡ଼ିଥିଲେ। ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲା। କୁଲଦୀପ ଯାଦବ ଘାତକ ବୋଲିଂ କରି ମାତ୍ର ୧୮ ରନ ଦେଇ ୪ ଓ୍ଵିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକା ଇନିଂସ ଅନ୍ତ ଘଟାଇଛନ୍ତି। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
୧୦୦ ରନର ଟାର୍ଗେଟ ପାଇଥିବା ଭାରତ ୪୨ ରନରେ ଶିଖର ଧୱନ(୮)ଙ୍କୁ ହରାଇଥିଲା। ଏହାପରେ ଈଶାନ କିଶନ(୧୦) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ୫୮ ରନରେ ଦ୍ୱିତୀୟ ୱିକେଟ ହରାଇଥିବା ଭାରତକୁ ଶେଷ ଯାଏ ଶୁବମନ ଗିଲ ଓ ଶ୍ରେୟସ ଆୟର ସମ୍ଭାଳିଥିଲେ। ଦଳକୁ ଜିତିବା ପାଇଁ ୩ ରନ ଓ ନିଜର ଅର୍ଦ୍ଧଶତକ ଠାରୁ ୧ ରନ ପଛରେ ଥିବା ଗିଲ୍ ହଠାତ୍ ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ ହୋଇଯାଇଥିଲେ। ୫୮ ବଲରେ ୪୯ ରନ କରିଥିବା ଗିଲ ୮ଟି ଚୌକା ମାରିଛନ୍ତି। ଭାରତ ବିଜୟ ଠାରୁ ୩ ରନ ଦୂରରେ ଥିବା ବେଳେ କ୍ରିଜ୍କୁ ଆସିଥିଲେ ସଞ୍ଜୁ ସାମସନ। ସେ ୨ ରନ କରି ବିଜୟ ରନ ମାରିବାକୁ ଆୟରଙ୍କୁ ସୁଯୋଗ ଦେଇଥିଲେ। ଦଳକୁ ଜିତିବା ପାଇଁ ୧ରନ ଦରକାର ଥିବା ବେଳେ ଆୟର ଦ୍ରୁତ ବୋଲର ଜାନସେନଙ୍କୁ ଛକା ମାରି ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଆୟର ଶେଷ ଯାଏ ୨୮ ରନ କରି ଅପରାଜିତ ରହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦିନିକିଆ ସିରିଜ୍ରେ ସାମସନଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଉଟ କରି ପାରି ନାହାନ୍ତି। ପ୍ରଥମ ଦିନିକିଆରେ ଭାରତ ୯ ରନରେ ହାରିଥିଲେ ମଧ୍ୟ ସାମସନ ଅପରାଜିତ ୮୬ ରନ କରିଥିଲେ। ସେହିପରି ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୨୯ ରନ କରି ଶ୍ରେୟସ ଆୟରଙ୍କ ସହ ଶେଷ ଯାଏ ରହିଥିଲେ। ଆଜି ମଧ୍ୟ ସେ ୨ ରନ କରି ନଟଆଉଟ ରହିଛନ୍ତି।