ଦ୍ଵିତୀୟ ଦିନିକିଆ : ବିଜୟ ଲକ୍ଷରେ ଭାରତ, ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି
ରାଞ୍ଚି : ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି । ଏହି ପରିପ୍ରେକ୍ଷୀରେ ପଡିଥିବା ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତ ବୋଲିଂ କରିବ ।
ଲକ୍ଷ୍ନୌରେ ପ୍ରଥମ ମ୍ୟାଚ୍ ହାରିଯାଇଥିବା ଭାରତ ପାଇଁ ଆଜି ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଶୃଙ୍ଖଳା ବଞ୍ଚାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ୍ ହାରିଗଲେ ଭାରତ ଶୃଙ୍ଖଳା ହାତଛଡ଼ା କରିବ। ଯଦିଓ ଏହି ଶୃଙ୍ଖଳାର ଫଳାଫଳ ବିଶ୍ବକପ୍ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ସମ୍ମାନ ଦୃଷ୍ଟିରୁ ଶିଖର ଧାୱନ ଏହି ମ୍ୟାଚ୍ ଜିତିବାକୁ ଚାହିଁବେ। ଏଭଳିସ୍ଥିତିରେ ଦଳର ପ୍ରମୁଖ ଦ୍ରୁତ ବୋଲର ଦୀପକ ଚହରଙ୍କ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି। ତାଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦର ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏପରିକି ମହମ୍ମଦ ସିରାଜ ଓ ଆୱେସ ଖାନ୍ ପ୍ରଥମ ମ୍ୟାଚ୍ରେ ପ୍ରଭାବୀ ହୋଇପାରିନଥିବାରୁ ବେଙ୍ଗଲ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦ୍ବିତୀୟ ମ୍ୟାଚ୍ରେ ଖେଳାଯିବା ସମ୍ଭାବନା ସୃଷ୍ଟି ହୋଇଛି।
ଏହାବାଦ୍ ଲକ୍ଷ୍ନୌରେ ପ୍ରାରମ୍ଭିକ ବିଫଳତା ପରେ ବି ଶ୍ରେୟସ ଆୟରଙ୍କ ବ୍ୟାଟ୍ରୁ ଭଲ ରନ୍ ବାହାରିଥିଲା। ବିଶ୍ବକପ୍ର ଅତିରିକ୍ତ ଖେଳାଳି ଭାବେ ଶ୍ରେୟସ ରହିଥିବାରୁ ଏହିଭଳି ବ୍ୟାଟିଂ ଅଭ୍ୟାସ ଜାରି ରହିବା ଆବଶ୍ୟକ ହୋଇପଡ଼ିଛି। ଅନ୍ୟପକ୍ଷରେ ସଂଜୁ ସାମସନ୍ଙ୍କ ବ୍ୟାଟ୍ରୁ ବଡ଼ ସଟ୍ ବାହାରିବା ଓ ଦଳକୁ ବିଜୟ ନିକଟତର କରାଇବା ସବୁଠାରୁ ବଡ଼ ସକାରାତ୍ମକ ଦିଗ ରହିଛି। ୭ ବର୍ଷ ଧରି ଭାରତୀୟ ଦଳରେ ସୁଯୋଗ ମିଳିନଥିଲେ ବି ସେ ଆତ୍ମବିଶ୍ବାସ ହରାଇନଥିବା ସ୍ପଷ୍ଟ ହୋଇଥିଲା। ଋତୁରାଜ ଗାଏକ୍ବାଡ୍ ଓ ଇଶାନ କିଶାନଙ୍କଠାରୁ ମଧ୍ୟ ଦଳ ବଡ଼ ସ୍କୋର ଆଶା ରଖିବ। ଶିଖର ଧାୱନ ତାଙ୍କ ନେତୃତ୍ବର ଦକ୍ଷତାକୁ ପ୍ରମାଣିତ କରିବାକୁ ଆଉ ଏକ ସୁଯୋଗ ପାଇବେ। ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଯେଉଁଭଳି ଭାବେ ତାଙ୍କର ଦବ୍ଦବା ରହିଥିଲା, ଦକ୍ଷିଣ ଆଫ୍ରିକା ଆଗରେ ସମାନ କରାମତି ଦେଖାଇବାକୁ ହେବ। ଏପଟେ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ତେମ୍ବା ବଭୂମାଙ୍କ ପ୍ରଦର୍ଶନ ଚିନ୍ତାଜନକ ହୋଇପଡ଼ିଛି। ବର୍ତ୍ତମାନ ସେ ତାଙ୍କର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଏହି ଗସ୍ତର ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ ସେ ଖାତା ଖୋଲିପାରିନଥିଲା ବେଳେ ତୃତୀୟ ମ୍ୟାଚ୍ରେ ମାତ୍ର ୩ ରନ୍ କରିଥିଲେ। ଲକ୍ଷ୍ନୌ ଦିନିକିଆରେ ତାଙ୍କ ବ୍ୟାଟ୍ରୁ ମାତ୍ର ୮ ରନ୍ ବାହାରିଥିଲା। ଆଉ ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିବାରୁ ବଭୂମାଙ୍କୁ ପୁରୁଣା ଲୟକୁ ଫେରିବା ଜରୁରି ଅଟେ। ଡେଭିଡ୍ ମିଲର ଏହି ଗସ୍ତରେ ଭାରତ ପାଇଁ ଦୁଃସ୍ବପ୍ନ ପାଲଟିଛନ୍ତି। ଗୁଆହାଟୀରେ ଅପରାଜିତ ଶତକ ସହ ଗତ ମ୍ୟାଚ୍ରେ ୭୫* ରନ୍ ସଂଗ୍ରହ କରି ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ପୁଣି କାଗିସୋ ରବାଦାଙ୍କ ନେତୃତ୍ବାଧୀନ ବୋଲିଂ ଆକ୍ରମଣକୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ଅନେକ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା ବେଳେ ଦିନିକିଆରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଦ୍ବିତୀୟ ମ୍ୟାଚ୍ରେ ଏଭଳି ପ୍ରଦର୍ଶନ ଜାରି ରଖିବାକୁ ଦଳ ଆଶା କରିବ।
ସମ୍ଭାବ୍ୟ ଭାରତ ଏକାଦଶ:
ଶିଖର ଧାୱନ୍ (ଅଧିନାୟକ), ଶୁବମନ ଗିଲ୍, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମ୍ସନ (ୱିକେଟ୍ରକ୍ଷକ), ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ/ସାହବାଜ୍ ଅହମ୍ମଦ, ଆୱେସ ଖାନ୍, କୁଲ୍ଦୀପ ଯାଦବ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ:
କ୍ବିଣ୍ଟନ ଡି’ କକ୍, ଜାନେମନ ମଲାନ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍ ମର୍କରାମ, ହେନ୍ରିକ୍ କ୍ଲାସେଁ, ଡେଭିଡ୍ ମିଲର, ୱେନ୍ ପାର୍ନେଲ/ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, କାଗିସୋ ରବାଦା, ତାବ୍ରିଜ୍ ସାମ୍ସୀ/ମାର୍କୋ ଜାନ୍ସେନ/ଅନ୍ରିକ୍ ନର୍ଖିୟା, ଲୁଙ୍ଗି ଏନ୍ଗିଡ଼ି।