ରାଉରକେଲା-ହଟିଆ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ
- ଚଳନ୍ତା ଟ୍ରେନରୁ ବଗି ଅଲଗା ହୋଇ ନଦୀରେ ଗଳିପଡିଲା ଇଞ୍ଜିନ
- ବର୍ତ୍ତିଲା କୋଚ୍, ସମସ୍ତ ଯାତ୍ରୀ ସୁରକ୍ଷିତ
ରାଉରକେଲା : ରାଉରକେଲା-ହଟିଆ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ । ନୂଆଗାଁ ବ୍ଲକ ଠାରୁ ମାତ୍ର ୨୦ କି.ମି. ଦୂର ଝାଡ଼ଖଣ୍ଡର କନାରାଓଁ ଷ୍ଟେସନ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଚଳନ୍ତା ଟ୍ରେନରୁ ବଗି ଅଲଗା ହୋଇ ନଦୀରେ ଗଳି ପଡିଛି । ଅପରପକ୍ଷେ ଟ୍ରେନ୍ର ସମସ୍ତ କୋଚ୍ ସୁରକ୍ଷିତ ରହିଛି। କୋଚରେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ଟ୍ରେନ୍ରେ ପ୍ରାୟ ୭୦ରୁ ଅଧିକ ଯାତ୍ରୀ ରହିଥିଲେ । ସେପଟେ ନଦୀରୁ ରେଳ ଇଞ୍ଜିନକୁ ଉଠାଇବା ସହ ଯାତ୍ରୀମାନଙ୍କୁ ରାଉରକେଲା ଆଣିବାକୁ ବନ୍ଧମୁଣ୍ଡା ଷ୍ଟେସନରୁ ଉଦ୍ଧାରକାରୀ ଟ୍ରେନ୍, ଇଞ୍ଜିନ ଓ କ୍ରେନ୍ କନାରାଓଁ ଷ୍ଟେସନ ଅଭିମୁଖେ ବାହାରିଥିବା ଏଆର୍ଏମ୍ ସୂଚନା ଦେଇଛନ୍ତି। କେଉଁ ପରିସ୍ଥିତିରେ ପାସେଞ୍ଜର ଟ୍ରେନର ବଗିରୁ ଇଞ୍ଜିନ୍ ଅଲଗା ହୋଇ ନଦୀରେ ଗଳିପଡିଲା ରେଲୱେ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତା’ର ତଦନ୍ତ କରୁଛନ୍ତି।
ସୂଚନା ଯେ, ରାଉରକେଲା-ହଟିଆ ପାସେଞ୍ଜର ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଟିଆ ଷ୍ଟେସନ ଛାଡିଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଝାଡ଼ଖଣ୍ଡର କନାରାଓଁ ଷ୍ଟେସନରେ ଅଟକିଥିଲା। ସେଠାରେ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍ ରାଉରକେଲା ଅଭିମୁଖେ ବାହାରିଥିଲା। କନାରାଓଁ ଷ୍ଟେସନ ଛାଡିବାର ମାତ୍ର କେଇ ମିନିଟ୍ ପରେ ନଦୀ ପାରି ହେଉଥିବାବେଳେ ଚଳନ୍ତା ଟ୍ରେନ୍ରୁ ହଠାତ୍ ଇଞ୍ଜିନ୍ ଅଲଗା ହୋଇ ଯାଇଥିଲା। ଲାଇନଚ୍ୟୁତ୍ ହୋଇ ନଦୀରେ ଗଳି ପଡିଥିଲା। ଇଞ୍ଜିନ୍ ନଦୀରେ ଗଳି ପଡିଥିବା ଦେଖି ବଗିରେ ବସିଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଟ୍ରେନ୍ରୁ ଉଦ୍ଧାର କରିଥିଲେ।