ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣା ମାମଲାରେ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ : ମୁମ୍ୱାଇ ଏବଂ ଗାନ୍ଧୀ ନଗର ମଧ୍ୟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ମଇଁଷି ଗୋଠ ସହ ଧକ୍କା ହୋଇଥିଲା । ମଇଁଷି ସହ ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ରେନକୁ ମୁମ୍ୱାଇରେ ମରାମତି କରାଯାଇଛି । ଏହି ମାମଲାରେ ଶୁକ୍ରବାର ଆରପିଏଫ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ପଶ୍ଚିମ ରେଲୱେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ବନ୍ଦେ ଭାରତ ଟ୍ରେନ ରାସ୍ତାରେ ଆସିଥିବା ମଇଁଷି ଗୋଠର ଅଜ୍ଞାତ ମାଲିକଙ୍କ ବିରୋଧରେ ଅହମଦାବାଦରେ ଆରପିଏଫ ମାମଲା ରୁଜୁ କରିଛି । ଭଟଭା ରେଲୱେ ଷ୍ଟେସନରେ ନିୟୋଜିତ ଆରପିଏଫ ଇନସ୍ପେକ୍ଟର ପ୍ରଦୀପ ଶର୍ମା କହିଛନ୍ତି, ଟ୍ରେନ କ୍ଷତିଗ୍ରସ୍ତ ହେବା ସହ ଜଡିତ ରେଲୱେ ଅଧିନିୟମ ୧୯୮୯ର ଧାରା-୧୪୭ରେ ମାମଲା ରୁଜୁ କରାଯାଇଛି । ରେଲୱେ ବର୍ତ୍ତମାନ ସୁଦ୍ଧା ମଇଁଷି ଗୋଠର ମାଲିକଙ୍କୁ ଚିହ୍ନଟ କରିପାରି ନାହିଁ ।