ଧରାପୃଷ୍ଠରୁ ମେଲାଣି ନେଲେ ମା’ ଦୁର୍ଗା
କଟକ/ଭୁବନେଶ୍ୱର : ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା ଦୁର୍ଗା । ପାରମ୍ପରିକ ବାଜା, ନୃତ୍ୟ , ଘଂଟଘଂଟାରେ ମାଙ୍କୁ ବିଦାୟ ଦିଆଯାଇଛି । ଟ୍ୱିନ ସିଟିରେ ପ୍ରବଳ ବର୍ଷା ସତ୍ୱେ ମାଙ୍କ ଭସାଣୀ ଉତ୍ସବରେ ଜନ ସମାଗମ ଦେଖିବାକୁ ମିଳିଛି । ବିଭିନ୍ନ ମଣ୍ଡପରୁ ମାଙ୍କ ମୃଣ୍ମୟୀ ମୂର୍ତି ଭସାଣି ପଡିଆରେ ପହଂଚିବା ପରେ ଭବ୍ୟ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ କରି ମେଢ ଗୁଡିକୁ ଶୋଭାଯାତ୍ରାରେ ବିସର୍ଜନ ସ୍ଥାନକୁ ନିଆଯାଇଥିଲା । ଶୋଭାଯାତ୍ରା ବେଳେ ରାସ୍ତାଘାଟ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଆଧୁନିକ ଡିଜେ ଗୀତରେ ପ୍ରକମ୍ପିତ ହେଉଥିଲା । ତେବେ ଡିଜେ ସାଉଣ୍ଡ ୬୫ ଡିସିବେଲରୁ ଯେପରି ଅଧିକ ନହୁଏ ସେଥିପାଇଁ କଡା ତାଗିଦ୍ ଥିଲା । ଅନ୍ୟପକ୍ଷରେ ଭସାଣୀ ଶୋଭାଯାତ୍ରା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୂର୍ତି ବିସର୍ଜନ ପାଇଁ କଟକର ଦେବୀଗଡା , ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଆଦି ସ୍ଥାନରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଜଳାଶୟର ବ୍ୟବସ୍ଥା କରାଯାଇଥିଲା ।
ଭୁବନେଶ୍ୱରରେ ପ୍ରାୟ ୧୮୦ରୁ ଉର୍ଦ୍ଧ୍ୱ ଏବଂ କଟକରେ ୧୫୦ରୁ ଅଧିକ ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା । କଟକରେ ବିସର୍ଜନ ଲାଗି ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ ।