ଦ୍ଵିତୀୟ ଟି-୨୦ : ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଗୁଆହାଟୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି-୨୦ରେ ଭାରତୀୟ ବ୍ୟାଟର ଗର୍ଜିଛନ୍ତି। ଗୁଆହାଟୀସ୍ଥିତ ବାରସପରା କ୍ରିକେଟ ଷ୍ଟାଡିୟମ୍ରେ ପ୍ରାରମ୍ଭିକ ବ୍ୟାଟର କେଏଲ୍ ରାହୁଲ ଓ ମଧ୍ୟକ୍ରମର ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍କୁ ୨୩୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
Innings Break!
— BCCI (@BCCI) October 2, 2022
Stupendous batting display from #TeamIndia as they post a mammoth total of 237/3 on the board.
This is also #TeamIndia's fourth highest T20I total.
Scorecard – https://t.co/58z7VHliro #INDvSA @mastercardindia pic.twitter.com/MWzSVV63NP
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରିଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍ରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ମଙ୍ଗ ସମ୍ଭାଳିଥିଲେ। ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା ବର୍ଷା କରି ମାତ୍ର ୧୮ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୯ ରନରେ ନିଜ ଭୁଲ୍ ଯୋଗୁଁ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହୋଇଥିଲେ। ସେ ମାତ୍ର ୨୨ ବଲ୍ରୁ ୫ ଚୌକା ଏବଂ ୫ ଛକା ବଳରେ ୬୧ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ। କୋହଲି ୨୮ ବଲ୍ରୁ ୭ ଚୌକା ଏବଂ ୧ ଛକା ସହ ୪୯ ରନରେ ଅପରାଜିତ ଥିଲେ। ଦିନେଶ କାର୍ତ୍ତିକ ୭ ବଲ୍ରୁ ୧୭ ରନ କରି ଭଲ ଫିନିସ୍ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଛି।