ଟି-୨୦ ବିଶ୍ୱକପରେ ଖେଳିବେନି ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ୨୦୨୨ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଚଳିତ ଥର ଅଷ୍ଟ୍ରେଲିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । କିନ୍ତୁ ଦୁନିଆର ୫ ଶ୍ରେଷ୍ଠ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ । ଏହି କାରଣରୁ ସେମାନଙ୍କର ଦଳ ମଧ୍ୟ କ୍ଷତି ସହିବେ । ଆହତ କାରଣରୁ ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟିମରୁ ବାଦ୍ ପଡ଼ିଛି । ସେପଟେ ଜୋଫ୍ରା ଆର୍ଚର ଓ ଜନି ବେୟାରଷ୍ଟୋ ଇଂଲଣ୍ଡ ପାଇଁ ଖେଳିବେ ନାହିଁ । ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିମଧ୍ୟ ଟି-୨୦ ବିଶ୍ୱକପ ୨୦୨୨ରୁ ଆଉଟ୍ ହୋଇଛନ୍ତି ।
ଭାରତର ଦୁଇ ଦିଗଜ ଖେଳାଳି ଏହି ଟି-20 ବିଶ୍ୱକପ୍ର ଅଂଶ ହେବେ ନାହିଁ । ଆହତ କାରଣରୁ ଦ୍ରୁତ ବୋଲର ବୁମରାଙ୍କୁ ବାଦ୍ ଦିଆଯାଇଛି । ସେ ଫିଟ୍ ହେବା ପରେ ନିକଟରେ ପଡ଼ିଆକୁ ଫେରିଥିଲେ । ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହା ପରେ ପିଠିରେ ଆଘାତ ଲାଗିଥିବାରୁ ସେ ଦଳ ବାହାରେ ଥିଲେ । ରବିନ୍ଦ୍ର ଜାଡେଜା ପୂର୍ବରୁ ଦଳରୁ ବାହାର ଅଛନ୍ତି । ଜାଡେଜା ଅଗଷ୍ଟ ୨୦୨୨ରେ ହଂକଂ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଦଳରେ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଭାରତକୁ କ୍ଷତି ପହଞ୍ଚାଇପାରେ ।
ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ମଧ୍ୟ ଟିମରୁ ବାଦ୍ ପଡ଼ିଛନ୍ତି । ଶାହିନ୍ ଜୁଲାଇ ୨୦୨୨ରେ ପାକିସ୍ତାନ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଏହି ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ହୋଇଥିଲା । ଶାହିନଙ୍କ ଅନୁପସ୍ଥିତି ଯୋଗୁଁ ପାକିସ୍ତାନ ଟିମ୍ କ୍ଷତି ସହିପାରେ । ତଥାପି, ଦଳ ବିକଳ୍ପଗୁଡିକ ପ୍ରସ୍ତୁତ ରଖିଛି । ଇଂଲଣ୍ଡ ବିଷୟରେ କହିବାକୁ ଗଲେ ଦଳର ଦିଗଜ ଖେଳାଳି ଜନି ବେୟାରଷ୍ଟୋ ଓ ଜୋଫ୍ରା ଆର୍ଚର ଟିମରୁ ବାଦ୍ ପଡ଼ିଛନ୍ତି । ଏଥର ଦୁହେଁ ଟି-20 ବିଶ୍ୱକପରେ ଖେଳିବେ ନାହିଁ ।