ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ କ୍ରିକେଟ୍ ପ୍ରତିଯୋଗିତା : ଫାଇନାଲ୍ରେ ଇଣ୍ଡିଆ ଲିଜେଣ୍ଡ୍ସ
ରାଏପୁର : ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ କ୍ରିକେଟ୍ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ଫାଇନାଲ୍ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଇଣ୍ଡିଆ ଲିଜେଣ୍ଡ୍ସ । ଗୁରୁବାର ପ୍ରଥମ ସେମିଫାଇନାଲ୍ରେ ଓପ୍ନର ନମନ ଓଝା ଏବଂ ଇର୍ଫାନ୍ ପଠାନ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏହି ଦଳ ୫ ୱିକେଟ୍ରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସକୁ ପରାସ୍ତ କରିଥିଲା।
ସେମିଫାଇନାଲ୍ରେ ଟସ୍ ଜିତି ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲା। ଦୁଇ ଓପ୍ନର ଅଧିନାୟକ ସେନ୍ ୱାଟ୍ସନ (୩୦), ଆଲେକ୍ସ ଦୋଲାନ (୩୫), ବେନ୍ ଡଙ୍କ୍ (୪୬), କାମେରନ ହ୍ବାଇଟ୍ (୩୦), ବ୍ରାଡ୍ ହାଦିଦ୍ (୧୨) ଏବଂ କାଲମ ଫର୍ଗୁସନ୍ (୧୦)ଙ୍କ ଦ୍ରୁତ ରନ୍ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା। ଭାରତ ପକ୍ଷରୁ ଅଭିମନ୍ୟୁ ମିଥୁନ (୨/୨୫), ୟୁସୁଫ୍ ପଠାନ୍ (୨/୩୬), ରାହୁଲ ଶର୍ମା (୧/୨୦) ସଫଳ ବୋଲର ରହିଥିଲେ। ଜବାବରେ ସଚିନ୍ (୧୦), ସୁରେଶ ରାଇନା (୧୧), ଯୁବରାଜ ସିଂହ (୧୮), ଷ୍ଟୁଆର୍ଟ ବିନ୍ନି (୨) ଓ ୟୁସୁଫ୍ ପଠାନ୍ (୧) ଅଷ୍ଟ୍ରେଲୀୟ ବୋଲରଙ୍କ ନିକଟରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ହେଲେ ନମନ ଓଝା ଗୋଟିଏ ପଟେ ଏକାଗ୍ରତାର ସହ ବ୍ୟାଟିଂ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ତଥାପି ୧୬ତମ ଓଭର ବେଳକୁ ୧୨୬ ରନ୍ରେ ୫ ୱିକେଟ୍ ହରାଇ ଦଳ କିଛିଟା ସଂଘର୍ଷ କରିଥିଲା। ଶେଷ ୪ ଓଭରରୁ ବିଜୟ ପାଇଁ ୪୬ ରନ୍ ଦରକାର ଥିଲା ବେଳେ ନମନ ଓଝାଙ୍କ ସହ ଯୋଗଦେଇଥିଲେ ଇର୍ଫାନ୍। ସେ ଆରମ୍ଭରୁ ବିସ୍ଫୋରକ ରୂପ ଦେଖାଇଥିଲେ। ୧୨ ବଲ୍ ଖେଳି ୨ ଚୌକା ଓ ୪ ଛକା ଜରିଆରେ ୩୭ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପଟେ ନମନ ଓଝା ୬୨ ବଲ୍ରୁ ୭ ଚୌକା, ୫ ଛକା ସହାୟତାରେ ୯୦ ରନ୍ କରି ଅପରାଜିତ ରହିଥିଲେ। ଦୁହେଁ ଅବିଭାଜିତ ଷଷ୍ଠ ୱିକେଟ୍ରେ ୨୨ ବଲ୍ରୁ ୪୯ ରନ୍ ଯୋଡ଼ି ୪ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ୧୯.୨ ଓଭରରେ ୧୭୫/୫ କରିନେଇଥିଲା। ନମନ ଓଝା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସୂଚନା ଯେ, ଏହି ପ୍ରତିଯୋଗିତାରେ ସମସ୍ତ ଦଳ ୫ ଲେଖାଏଁ ମ୍ୟାଚ୍ ଖେଳିଥିଲେ। ତେବେ ଭାରତ ୨ଟିରେ ବିଜୟୀ ହୋଇଥିଲା ବେଳେ ଅବଶିଷ୍ଟ ୩ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା। ଦକ୍ଷିଣ ଆଫ୍ରିକାକୁ ୬୧ ଏବଂ ଇଂଲଣ୍ଡକୁ ୪୦ ରନ୍ରେ ପରାସ୍ତ କରିଥିବା ଭାରତର ୩ଟି ମ୍ୟାଚ୍ (ୱେଷ୍ଟ୍ଇଣ୍ଡିଜ୍, ନ୍ୟୁଜିଲାଣ୍ଡ୍ ଓ ବାଂଲାଦେଶ) ବିନା ଫଳାଫଳରେ ଶେଷ ହୋଇଥିଲା। ତଥାପି ୧୪ ପଏଣ୍ଟ ସହ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।