ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ଜୟପୁର : କରୋନାଠାରୁ ଅଧିକ ପ୍ରାଣଘାତୀ ହେଲାଣି ବ୍ଲାକ୍ ଫଙ୍ଗସ୍। କରୋନା ସଂକ୍ରମଣକୁ ମାତ ଦେଇଥିବା ଅନକେ ଲୋକ ଏବେ ବ୍ଲାକ୍ ଫଙ୍ଗସରେ ଶିକାର ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଲାଗାତର ବଢ଼ିବାରେ ଲାଗିଛି। ଏହି ଫଙ୍ଗସ୍ ଦ୍ବାରା ସୃଷ୍ଟି ହେଉଥିବା ମ୍ୟୁକୋର ମାଇକୋସିସ୍ ଯୋଗୁ ରୋଗୀ ସବୁଦିନ ପାଇଁ ନିଜର ଚକ୍ଷୁ ହରାଉଛନ୍ତି, ଏପରି କି ଜୀବନ ମଧ୍ୟ ହରାଉଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍କୁ ମହାମାରୀ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ଦିନକୁ ଦିନ ଭୟଙ୍କର ରୂପେ ନେବାରେ ଲାଗିଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି।
ବ୍ଲାକ୍ ଫଙ୍ଗସ ଏକ ଗମ୍ଭୀର ଏବଂ ଦୁର୍ଲଭ ଫଙ୍ଗାଲ ସଂକ୍ରମଣ। ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକରେ ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ଲାଗାତାର ବୃଦ୍ଧି ପାଉଛି। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଧାରା ୩ର ସହପାଠିତ ଧାରା ୪ରେ ମ୍ୟୁକରମାକୋସିସ (ବ୍ଲାକ ଫଙ୍ଗସ୍)କୁ ସମ୍ପୂର୍ଣ୍ଣ ରାଜ୍ୟରେ ମହାମାରୀ ସରକାର ଘୋଷଣା କରିଛନ୍ତି। ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେବା ପରେ ଲୋକେ ବ୍ଲାକ ଫଙ୍ଗସ୍ରେ ଶିକାର ହେବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚିନ୍ତା ପ୍ରକଟ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ବିଶେଷ କରି ମଧୁମେହ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ପ୍ରଭାବିତ କରୁଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ରାଜସ୍ଥାନରେ ୧୦୦ ରୋଗୀ ବ୍ଲାକ ଫଙ୍ଗସରେ ଶିକାର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରିବାକୁ ଜୟପୁରର ମାନସିଂହ ହସ୍ପିଟାଲରେ ଭିନ୍ନ ଓ୍ବାର୍ଡ କରାଯାଇଛି । ତେବେ ବ୍ଲାକ୍ ଫଙ୍ଗସ ଏବେ ଦିଲ୍ଲୀରେ ଆତଙ୍କ ଖେଳାଇଛି। ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ୪୦ ଉର୍ଦ୍ଧ୍ବ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।