ବାଲିଆପାଳ ପଞ୍ଚାୟତ ସମିତି ଦ୍ୱିତୀୟ ବୈଠକ ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବାଲିଆପାଳ ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଡ଼ିଓ ଦାୟିତ୍ୱରେ ଥିବା ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ୨୪ ନମ୍ୱର ଜୋନ୍ର ଜିଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ୨୩ ନମ୍ୱର ଜୋନ୍ର ଜିଲା ପରିଷଦ ସଦସ୍ୟ ବେଣୁଧର ଜେନା, ୨୨ ନମ୍ୱର ଜୋନ୍ର ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ, ୨୧ ନମ୍ବର ଜୋନ୍ର ଜିଲା ପରିଷଦ ସଦସ୍ୟା କାଞ୍ଚନ ବାଳା ଜେନା, ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟ, ବ୍ଲକର ସମସ୍ତ ଲାଇନ ଡିପାଟମେଣ୍ଟର ଅଫିସର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ଜିପିଓ ରାମଚନ୍ଦ୍ର ମାରାଣ୍ଡି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଉକ୍ତ ବିବରଣୀ ପାଠର ପ୍ରଥମ ବୈଠକରେ ଆଲୋଚନା ହୋଇଥିବା ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ବିଷୟରେ ବିବରଣୀ ପୁସ୍ତିକାରେ ଲିପିବଦ୍ଧ ହୋଇନଥିବା ନେଇ ଜଗତିପୁର ପଞ୍ଚାୟତର ସଦସ୍ୟ ଶାନ୍ତନୁ ମହାପାତ୍ର ଅଭିଯୋଗ କରିଥିଲେ । ସିସି ରୋଡ୍ ସିମୁଳିଆ ରାଜାରାଣୀ ଛକରୁ ସିମୁଳିଆ ବଜାରକୁ ରାସ୍ତାର କାର୍ଯ୍ୟ ସମାପନ ହୋଇଥିଲେ ମଧ୍ୟ ଆଜିଯାଏ ଅନଲାଇନ ପଞ୍ଜିକରଣ ହୋଇନଥିବାରୁ ବିଲ ପାଉନଥିବା ନେଇ ମଧୁପୁରା ପଞ୍ଚାୟତର ସଦସ୍ୟ ସୁଶାନ୍ତ ସେଠି ଅଭିଯୋଗ କରିଥିଲେ । ରେସନ ତାଲିକା ସଂଯୋଗ ବିଷୟରେ ଆଲୋଚନାରେ ୪୦୦ ଲୋକ ରେସନ କାର୍ଡ଼ ପାଇପାରିବାର ସୁବିଧା ଥିବାବେଳେ ନୂଆ ସଂଯୋଗ ହେଇପାରିନି କାହିଁକି ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା । ଘଣ୍ଟୁଆ ପଞ୍ଚାୟତର ସରପଞ୍ଚ ସୁଶିଲ ପ୍ରଧାନ ମୃତ ଲୋକଙ୍କ ତାଲିକା ପ୍ରସ୍ତୁତ କରି ରେଶନରୁ ବାଦ କରିବାକୁ ପ୍ରସ୍ତାବ ଦେଇଥିଲେ ।ରେଶନରେ ଲୋକମାନେ କମ ପରିମାଣରେ ଚାଉଳ ପାଇ ସମ୍ପୂର୍ଣ୍ଣ ଚାଉଳ ନେଉଥିବାର ଦସ୍ତଖତ ଡିଲର ନେଉଥିବା ଅଭିଯୋଗ ଉଠିବା ପରେ ଖାଉଟି ସୁରକ୍ଷା ପାଇଁ ଭିଜିଲାନ୍ସ କମିଟି ଗଠନ ହେବା ଦରକାର ଏବଂ ହିତାଧିକାରୀଙ୍କର ଚାଉଳ ଏକ କିଲୋ ଡିଲର କାଟିଥିଲେ ଏ ବିଷୟରେ ପୋଲିସକୁ ଖବର ଦେଲେ ଡିଲର ଆରେଷ୍ଟ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଜିଲାପରିଷଦ ଶ୍ରୀ ସେଠି ରେଶନ କାର୍ଡ଼ରକୁ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଲେ ବହୁ ଯୋଗ୍ୟ ହିତାଧିକାରୀ ରେସନ ପାଇପାରିବେ ବୋଲି କହିଥିଲେ । ଜମ୍ଭିରାଇ ପଞ୍ଚାୟତରେ ଆଜିଯାଏ ଲୋକେ ରିଲିଫ ପାଇନଥିବା କଥା ବୈଠକରେ ଉଠିଥିଲା । ବାଣିଆଡ଼ିହା ପଞ୍ଚାୟତର ଜିଆରଏସ୍ ଅଧିବାସ ବିଶ୍ୱାଳଙ୍କୁ ଜମ୍ଭିରାଇ ପଞ୍ଚାୟତର ରିଲିଫ ଦିଆଯାଇଛି ବୋଲି ବାଲିଆପାଳ ଏମ୍ଆଇ ଅମ୍ବିକା ପ୍ରାସାଦ ରଥ କହିଥିଲା ବେଳେ ଉକ୍ତ ପଞ୍ଚାୟତର ସରପଞ୍ଚ, ସଦସ୍ୟ ଏବଂ ପିଇଓ ରିଲିଫ ବିଷୟରେ କିଛି ଜାଣି ନଥିବା କଥା କହିଛନ୍ତି । ଉକ୍ତ ବିଷୟରେ ଜିଆରଏସ୍ ଶ୍ରୀ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ କରିବାକୁ ଶ୍ରୀ ଷଡ଼ଙ୍ଗୀ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ ଆସିଥିବା ଏକ କୋଟି ଟଙ୍କାକୁ ୨୮ ପଞ୍ଚାୟତରେ ସମାନ ଭାବରେ ବଣ୍ଟନ କରାଯିବା କଥା ଆଲୋଚନା ହୋଇଥିଲା । ଡଗରା ବାତ୍ୟା ଆଶ୍ରୟ ସ୍ଥଳୀକୁ ଭଡ଼ା ଦିଆଯାଉଥିବା କଥା ସରପଞ୍ଚ ସତ୍ୟା ନନ୍ଦ ମହାନ୍ତି କହିଥିବାବେଳେ ଏହାର ସମ୍ପୂର୍ଣ୍ଣ ପ୍ରମାଣ ବିଡ଼ିଓଙ୍କୁ ପ୍ରଦାନ କରିବା ପାଇଁ ଉପାଧ୍ୟକ୍ଷ ଶ୍ରୀ ଚୌଧୁରୀ କହିଥିଲେ । ଡଗରା ଡାକବଙ୍ଗଳା ଚୌକିଦାରକୁ ଦରମା କିପରି ଦିଆଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ବୈଠକ ସମାପନ ହୋଇଥିଲା ।