ସ୍ୱାମୀଙ୍କ ମୃତ୍ୟୁର ୫୨ ବର୍ଷରେ ପରେ ବୃଦ୍ଧାଙ୍କୁ ମିଳିଲା ପେନସନ! ଦୁଃଖ ପ୍ରକାଶ କଲେ ହାଇକୋର୍ଟ
ବାଲେଶ୍ୱର : ସ୍ୱାମୀଙ୍କ ପେନସନ ପାଇବା ପାଇଁ ବୃଦ୍ଧାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଲେଶ୍ୱର ଜିଲା ଅରଡ଼ ବଜାର ଅଞ୍ଚଳର ଲଳିତା ମହାନ୍ତି (୮୯) ।
ଫ୍ୟାମିଲି ପେନସନ ପାଇଁ ୮୯ ବର୍ଷୀୟ ବୃଦ୍ଧା ଲଲିତା ମହାନ୍ତିଙ୍କ ସଂଘର୍ଷର କାହାଣୀ ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଯେତେବେଳେ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ସ୍ୱାମୀ ଭୀମସେନ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଓଏସ୍ ଆର୍ଡିସିରେ କାର୍ଯ୍ୟରତ ଥିଲେ ଭୀମସେନ । ଅଳ୍ପ ବୟସରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କୁ ଫ୍ୟାମିଲି ପେନସନ ମିଳି ନଥିଲା । ଜୀବନସାରା ଏଥିପାଇଁ ସଂଘର୍ଷ କରିବା ସହ ବହୁ କଷ୍ଟ ସହି ପରିବାର ଚଳାଇଥିଲେ ଲଳିତା ।
ଫ୍ୟାମିଲି ପେନସନ ପାଇବା ପାଇଁ ଦୀର୍ଘବର୍ଷ ନ୍ୟାୟିକ ଲଢ଼େଇ ପରେ ଶେଷରେ ଲଳିତାଙ୍କୁ ମିଳିଛି ନ୍ୟାୟ । ଏପରିକି ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ୯ବର୍ଷ ଲାଗିଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଳିତାଙ୍କୁ ୧୬ ଲକ୍ଷ ଟଙ୍କାର ପ୍ରୋଭିଜନାଲ ପେନସନ ମିଳିଛି । ଓଏସ୍ ଆର୍ଡିସିର ଅଣ୍ଡର ସେକ୍ରେଟାରୀଙ୍କ ସହ ୪ଜଣ ଅଧିକାରୀ ବୃଦ୍ଧାଙ୍କ ଘରକୁ ଆସି ଚେକ୍ ପ୍ରଦାନ କରିଛନ୍ତି । ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହେବାକୁ ଏତେ ବିଳମ୍ବ ହୋଇଥିବାରୁ ମହିଳାଙ୍କ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଉଲ୍ଲେଖ କରି ହାଇକୋର୍ଟ କହିଛନ୍ତି ପେନସନ୍ ଏକ ଅନୁଗ୍ରହ ନୁହେଁ । ଯେପରି ରାଜ୍ୟର ଜଣେ ବି ହିତାଧିକାରୀ ପେନସନ୍ ପାଇବାରୁ ବଞ୍ôଚତ ନ ହେବେ ସେଥିପାଇଁ ହାଇକୋର୍ଟ ସମସ୍ତ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ପ୍ରୋଭିଜନାଲ ପେନସନ ପାଇଁ ନୀତି ନିର୍ଦ୍ଦାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏନେଇ ବୃଦ୍ଧା ଲଲିତା ମହାନ୍ତି କହନ୍ତି, ଆମ କର୍ମରେ ଯାହା ଥିଲା ତାହା ଭୋଗ କରିବାକୁ ପଡ଼ିଲା । ମୁଁ ଯେଉଁ ଅବସ୍ଥାରେ ସଂଘର୍ଷ କରିଛି ତାହାର ସୁଫଳ ମିଳିଛି ।