ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ କୃଷି ଓ କୃଷି ଭିତ୍ତିକ ବ୍ୟବସାୟ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସ୍ନାତକୋତ୍ତର ଜୈବବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଆନୁକୂଲ୍ୟରେ ଏକ କୃଷି ଓ କୃଷି ଭିତ୍ତିକ ବ୍ୟବସାୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଗବେଷଣା ପରିଷଦ-ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ନିର୍ଦ୍ଦେଶକ ଡ. ଭାସ୍କର ଚନ୍ଦ୍ର ପାତ୍ର ଯୋଗଦେଇ କୃଷି ଭିତ୍ତିକ ବ୍ୟବସାୟ ମାଧ୍ୟମରେ ଜଣେ ନିଜକୁ ସ୍ୱାବଲମ୍ବୀ କରାଇବା ସହ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଯୋଗାଇବାରେ ସକ୍ଷମ ହୋଇଥାଏ । କୃଷିର ବିକାଶ ତଥା ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ଆସନ୍ତା ଦିନଗୁଡ଼ିକରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପର୍ଯ୍ୟାୟକ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ମିଳିତ ଭାବରେ କୃଷି ଓ କୃଷି ଭିତ୍ତିକ ଗବେଷଣାକୁ ଆହୁରି ବଳବତ୍ତର କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟରେ ଏକ କୃଷି ବ୍ୟବସାୟ ପ୍ରଭନ୍ଧନ ବିଭାଗର ପ୍ରୟୋଜନୀୟତା ଉପରେ ମତ ରଖିଥିଲେ ।
ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ପ୍ରଧାନ ବୈଜ୍ଞାନିକ ଡ. ଆନି ପୁନମ କୃଷି ଭିତ୍ତିକ ବ୍ୟବସାୟର ବିଭିନ୍ନ ଦିଗ ତଥା ସମ୍ଭାବନା ଉପରେ ଶିକ୍ଷୟତ୍ରୀଶିକ୍ଷକ ତଥା ଛାତ୍ରୀଛାତ୍ରମାନଙ୍କୁ ସବିଶେଷ ତଥ୍ୟ ଓ ଜ୍ଞାନ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ନିର୍ଦେଶକ ଡ. ପାତ୍ର ଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରି ଆସନ୍ତା ଶିକ୍ଷାବର୍ଷ ଠାରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ କୃଷି ବ୍ୟବସାୟ ପ୍ରଭନ୍ଧନ ବିଭାଗ ଆରମ୍ଭ କରାଯିବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଯୋଗଦେଇ ଜୈବବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଆନୁକୂଲ୍ୟରେ ଏହିପରି ଏକ କାର୍ଯ୍ୟକ୍ରମର ଆୟୋଜନ ହେତୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ନାତକୋତ୍ତର ଜୈବବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ଡ.ଏଲସା ପଣ୍ଡିତ କାର୍ଯ୍ୟକ୍ରମ ଓ ଏହାର ଭବିଷ୍ୟତ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜୈବବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହକାରୀ ପ୍ରାଧ୍ୟାପିକା ଡ. ପୁନମ କୁମାରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଉକ୍ତ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡ. ଭାସ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।