ଜନ୍ମଦିନରେ ମନେ ପଡ଼ନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର
ମୁମ୍ବାଇ : ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ କିଏ ବା ନଜାଣେ । ତାଙ୍କର କିଛି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସୁର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ ।
ମନୋରଞ୍ଜନ ଦୁନିଆରେ ତାଙ୍କ ଅବଦାନ ଅତୁଳନୀୟ । ବହୁ ସଂଘର୍ଷ ପରେ ସେ ସଙ୍ଗିତ ଦୁନିଆର ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ୮ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ଅନେକ ଭାଷାରେ ଗୀତ ଗାଇବା ସହ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ବହୁ ପରିଚିତ ନାମ । ଆଜି ତାଙ୍କ ଜନ୍ମଦିନ । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା….
ଲତାମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥାଏଟର ଆର୍ଟିଷ୍ଟ ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର ।
୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମାରଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।
୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବ ବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।
ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଲତା ମଙ୍ଗେଶକର ଭାରତର ସବୁଠାରୁ ପ୍ରସିଦ୍ଧ ଗାୟିକା ଥିଲେ । ଲୋକମାନେ ତାଙ୍କୁ ମା ସରସ୍ୱତୀଙ୍କ ଅବତାର ବୋଲି ମଧ୍ୟ ଭାବନ୍ତି। ଲତା ହିନ୍ଦୀ, ମରାଠୀ, ବଙ୍ଗାଳୀ ସମେତ ୩୦ ରୁ ଅଧିକ ଭାଷାରେ ଗୀତ ଗାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମ ମରାଠୀ ଗୀତ ୧୯୪୨ ମସିହାରେ ‘କିର୍ତ୍ତୀ ହାସାଲ’ରେ ଗାଇଥିଲେ । ଏହା ବ୍ୟତୀତ ୧୯୫୮ ରୁ ୧୯୯୪ ପର୍ଯ୍ୟନ୍ତ ଅନେକ ଫିଲ୍ମଫେୟାର ଆୱାର୍ଡ , ନ୍ୟାଶନାଲ ଆୱାର୍ଡ ,ପଦ୍ମଭୂଷଣ, ଦାଦାସାହେବ ଫାଲକେ ଆୱାର୍ଡ, ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ରାଜୀବ ଗାନ୍ଧୀ ପୁରସ୍କାର ଭଳି ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା।
୧୯୫୮ ମସିହାରେ- ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ
୧୯୬୯ ମସିହାରେ- ପଦ୍ମ ଭୂଷଣ
୧୯୮୯ ମସିହାରେ- ଦାଦା ସାହେବ ଫାଲକେ ଆୱାର୍ଡ
୧୯୯୩ ମସିହାରେ- ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭ ମସିହାରେ- ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ ମସିହାରେ- ପଦ୍ମ ବିଭୂଷଣ
୨୦୦୧ ମସିହାରେ- ଭାରତ ରତ୍ନ
୨୦୦୯ ମସିହାରେ- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ