ମହିଳାଙ୍କ ଠାରୁ ସୁନାହାର ଚୋରୀ, ଫେରାର ବେଳେ ଧରାପଡ଼ି ଛେଚା ଖାଇଲେ ୨ ଲୁଟେରା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ସୋମବାର ମଧ୍ୟାହ୍ନରେ ଜୟନ୍ତି ସାହୁ ନାମକ ଜଣେ ମହିଳାଙ୍କ ବେକରୁ ସୁନାହାର ଚୋରୀ କରି ଫେରାର ହୋଇଯାଉଥିବା ଦୁଇଜଣ ଯୁବକ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଛନ୍ତି । ପରେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ସୂଚନା ଯେ, ସ୍ଥାନୀୟ କୁପୁରାବଜାର ଅଞ୍ଚଳର ବିଦ୍ୟାଧର ସାହୁ ଓ ତାଙ୍କ ପତ୍ନୀ ଜୟନ୍ତି ଭଦ୍ରକ ଜିଲା ଚରମ୍ପାରୁ କରୋନା ଟିକା ନେଇ ବାଇକ (ନଂ. ଓଡ଼ି୨୨ଏଲ-୩୨୦୫) ଯୋଗେ ଘରକୁ ଫେରୁଥିଲେ । ପରେ ରାଜପଥର ମଇତାପୁର ନିକଟରେ ଅନ୍ୟ ଏକ ବାଇକ୍ (ନଂ. ଓଡ଼ି୦୧ଏସି-୧୮୭୭)ରେ ଦୁଇଜଣ ଯୁବକ ତାଙ୍କ ପିଛା କରି ଜୟନ୍ତିଙ୍କ ବେକରୁ ସୁନାହାର ଟାଣି ନେଇ ଫେରାର ହୋଇଯାଇଥିଲେ । ଜୟନ୍ତିଙ୍କ ସ୍ୱାମୀ ବିଦ୍ୟାଧର ତାଙ୍କ ପିଛା କରିଥିଲେ । ରାଜପଥର କାମ ଚାଲୁଥିବାରୁ ବାଇପାଶ୍ ରୋଡରେ ଗାଡ଼ି ଜାମ ଥିବାରୁ ଉକ୍ତ ଦୁଇ ଲୁଟେରା ଧରାପଡ଼ିଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟି ପୋଲିସକୁ ହନ୍ତାନ୍ତ କରିଥିଲେ । ଉକ୍ତ ଦୁଇ ଲୁଟେରା ଖଇରା ବ୍ଲକ ମହତିପୁର ଅଞ୍ଚଳର ଦେବାଶିଷ ଦାସ(୩୬) ଓ ବାପୀ ନାୟକ(୩୨) ବୋଲି ସୂଚନା ମିଳିଛି । ପୋଲିସ ବାଇକ ସହିତ ଦୁଇ ଲୁଟେରାଙ୍କୁ ଅଟକ ରଖିଛି ।