କଟକ ନକଲି ଔଷଧ ବିକ୍ରୀ ଘଟଣାରେ ହାଇକୋର୍ଟରେ ମାମଲା
ଭୁବନେଶ୍ୱର : କଟକରେ ନକଲି ଔଷଧ କାରବାର ମାମଲା ହାଇକୋର୍ଟରେ ପହଂଚିଛି । ନକଲି ଔଷଧ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏହି ମାମଲାରେ ଭୁବନେଶ୍ୱର ସିବିଆଇ ଏସପି,ପୋଲିସ୍ ଡିଜି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ବିଭାଗ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରାଯାଇଛି । ଅଭିଷେକ ଦାସ ଏହି ମାମଲା ଦାୟର କରିଥିବା ବେଳେ ଆଇନଜୀବୀ ଆଲୋକ ମହାପାତ୍ର ଏହି ମାମଲା ପରିଚାଳନା କରୁଛନ୍ତି ।
ଅନ୍ୟପଟେ ନକଲି ମେଡିସିନ ବିକ୍ରି ଘଟଣାରେ ତଦନ୍ତ ପାଇଁ ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି । ଏଡି ଟିମ୍ ବିହାରର ଗୟାକୁ ଯାଇଛି । ଏହି ଟିମ୍ ରେ ଦୁଇ ଜଣ ଏକ୍ସପର୍ଟ ରହିଛନ୍ତି । କଟକର ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଂଟରପ୍ରାଇଜେସ ଏହି ନକଲି ମେଡିସିନ ଗୟା ଓ ବେଙ୍ଗାଲୁରୁ ଠାରୁ ଆଣୁଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା । ସେଥି ପାଇଁ ଅଧିକ ତଦନ୍ତ ପାଇଁ ଟିମ ବିହାର ଗସ୍ତ କରିଛି । ସେଠାରେ ତଦନ୍ତ ପରେ ଜଣାପଡିବ ଯେ, କିଏ ଏହି ନକଲି ମେଡିସିନ ପ୍ରସ୍ତୁତର ମାଷ୍ଟରମାଇଣ୍ଡ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।