ଇନ୍ଦିରା ଏକାଦଶୀରେ ଶାଳଗ୍ରାମ ପୂଜା ! ଜାଣନ୍ତୁ ବ୍ରତ ବିଧି ଓ ମହିମା
ଆଶ୍ୱିନ ମାସ କୃଷ୍ଣ ପକ୍ଷ ଏକାଦଶୀ ବା ଇନ୍ଦିରା ଏକାଦଶୀରେ ଶାଳଗ୍ରାମ ପୂଜା କରାଯାଇଥାଏ । ଶାଳଗ୍ରାମଙ୍କ ପୂଜା ତଥା ବ୍ରତ କରାଯିବାର ମଧ୍ୟ ବିଧି ରହିଛି । ଏହି ବ୍ରତ କରିବା ଦ୍ୱାରା ମନୁଷ୍ୟ ସମସ୍ତ ପ୍ରକାରର ପାପରୁ ମୁକ୍ତ ହୋଇଥାଏ ଏବଂ ବୈକୁଣ୍ଠ ଲୋକରେ ସ୍ଥାନ ପାଇଥାଏ ବୋଲି ବିଧି ରହିଛି । ଏପରିକି ଇନ୍ଦିରା ଏକାଦଶୀ ବ୍ରତ କରୁଥିବା ବ୍ୟକ୍ତିର ପୂଣ୍ୟବଳରେ ପିତୃପୁରୁଷ ମଧ୍ୟ ସ୍ୱର୍ଗ ଲାଭ କରିଥାନ୍ତି ।
ଏକାଦଶୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଦଶମୀ ଦିନ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନ କରି ଶ୍ରଦ୍ଧାପୂର୍ବକ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତୁ ଏବଂ ଥରୁଟିଏ ଭୋଜନ ଗ୍ରହଣ କରନ୍ତୁ । ଏକାଦଶୀ ଦିନ ସମ୍ପୂର୍ଣ୍ଣ ନିରାହାର ରହଇ ବିଧିପୂର୍ବକ ଶାଳଗ୍ରାମ ପୂଜା କରିବା ଉଚିତ । ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ଭଗବାନ ହୃଷିକେଶଙ୍କୁ ମଧ୍ୟ ପୂଜା କରାଯିବାର ପରମ୍ପରା ରହିଛି । ସେହିପରି ଭଗବାନଙ୍କ ନିକଟରେ ରାତ୍ରି ଜାଗରଣ କରିବାର ମଧ୍ୟ ବିଧି ରହିଛି । ଦ୍ୱାଦଶୀ ଦିନ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଭୋଜନ ଗ୍ରହଣ କରିବା ଉଚିତ । ଆଶ୍ୱିନ ମାସ କୃଷ୍ଣପକ୍ଷରେ ପାଳିତ ହେଉଥିବା ଏକାଦଶୀକୁ ଇନ୍ଦିରା ଏକାଦଶୀ କୁହାଯାଏ ।
ସତ୍ୟଯୁଗରେ ମହିଷମତିପୁରୀ ନାମକ ରାଜ୍ୟରେ ରାଜୁତି କରୁଥିଲେ ରାଜା ଇନ୍ଦ୍ରସେନ । ଇନ୍ଦ୍ରସେନଙ୍କ କିର୍ତ୍ତୀ ସର୍ବତ୍ର ରହିଥିଲା । ସେ ଭଗବାନ ବିଷ୍ଣୁଙ୍କ ପରମଭକ୍ତ ଥିଲେ । ନ୍ୟାୟବନ୍ତ ଥିବାରୁ ତାଙ୍କ ରାଜ୍ୟରେ ପ୍ରଜାମାନେ ଖୁସିରେ ରହୁଥିଲେ । ଥରେ ଇନ୍ଦ୍ରସେନଙ୍କ ଦରବାରକୁ ଦେବର୍ଷି ନାରଦ ଆସିଲେ । ରାଜା ନାରଦମୁନିଙ୍କୁ ଯଥା ସମ୍ମାନ ଜଣାଇ ଆସିବାର କାରଣ ଜାଣିବାକୁ ଚାହିଁଲେ । କିଛି ଦିନ ପୂର୍ବେ ଯମ ଲୋକକୁ ଯାଇଥିବା ସମୟରେ ସେଠାରେ ରାଜା ଇନ୍ଦ୍ରସେନଙ୍କ ପିତାଙ୍କୁ ଭେଟିଥିବା କଥା ନାରଦ ମୁନି କହିଲେ । ଧର୍ମାତ୍ମା ହୋଇଥିବା ସତ୍ତ୍ୱେ ରାଜାଙ୍କ ପିତା ଏକାଦଶୀ ବ୍ରତ ଭାଙ୍ଗିଥିବାରୁ ଯମଲୋକରେ ଯନ୍ତ୍ରଣା ଭୋଗୁଥିବା କଥା ଦେବର୍ଷି ନାରଦଙ୍କ ଠାରୁ ଶୁଣି ରାଜା ଇନ୍ଦ୍ରସେନ ଦୁଃଖିତ ହେଲେ । ଏଥିରୁ ମୁକ୍ତି ପାଇବା ଲାଗି ସେ ନାରଦଙ୍କ ଠାରୁ ପରାମର୍ଶ ମାଗିଲେ । ଏହାପରେ ଦେବର୍ଷି ନାରଦ ରାଜା ଇନ୍ଦ୍ରସେନଙ୍କୁ ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀ ବ୍ରତ କରିବାକୁ କହିଥିଲେ । ଏହି ଏକାଦଶୀ ବ୍ରତ ବିଧିପୂର୍ବକ କରିବା ଦ୍ୱାରା ରାଜା ଇନ୍ଦ୍ରସେନଙ୍କ ପିତା ଯମଲୋକରୁ ମୁକ୍ତ ହୋଇ ସ୍ୱର୍ଗଲୋକରେ ପହଞ୍ଚି ଥିଲେ ।
ମୃତ୍ୟୁ ପରେ ରାଜା ଇନ୍ଦ୍ରସେନଙ୍କୁ ବୈକୁଣ୍ଠ ଲୋକରେ ସ୍ଥାନ ମିଳିଥିଲା । ସେଥିପାଇଁ କୁହାଯାଏ ଯେ ଇନ୍ଦିରା ଏକାଦଶୀ ବ୍ରତ ଦ୍ୱାରା ପୂର୍ବ ଜନ୍ମର ସମସ୍ତ ପାପ କ୍ଷୟ ହେବା ସହ ଅଶ୍ୱମେଧ ଯଜ୍ଞ ସମାନ ପୁଣ୍ୟପ୍ରାପ୍ତି ହୋଇଥାଏ । ଏହି ବ୍ରତ କରୁଥିବା ବ୍ୟକ୍ତିର ପୂର୍ବପୁରୁଷ କୌଣସି ପାପର ଭାଗି ହୋଇ ମୃତ୍ୟୁଲୋକରେ କଷ୍ଟ ଭୋଗୁଥିଲେ ସେଥିରୁ ମୁକ୍ତ ହୋଇ ସ୍ୱର୍ଗ ପ୍ରାପ୍ତି କରିଥାନ୍ତି । ବ୍ରତ ନିମନ୍ତେ ଦଶମୀ ଦିନ ଏକ ସମୟ ଭୋଜନ ପୂର୍ବକ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଇଥାଏ । ଏକାଦଶୀରେ ସମ୍ପୂର୍ଣ୍ଣ ନିରାହାର ଏବଂ ଅନିଦ୍ରା ରହି ଭଗବାନ ବିଷ୍ଣୁଙ୍କ ଆରାଧନା କରାଯିବା ଉଚିତ । ଦ୍ୱାଦଶୀରେ ବ୍ରାହ୍ମଣଙ୍କୁ ଭୋଜନ ଦେଇ ନିରବତା ପୂର୍ବକ ଭୋଜନ କରି ଏକାଦଶୀ ବ୍ରତ ଭାଙ୍ଗିବା ଉଚିତ ।