ବର୍ଷ ବର୍ଷ ଧରି ମିଳୁନି ରାସନ ସାମଗ୍ରୀ; ଜିଲାପାଳଙ୍କ ଠାରେ ଅଭିଯୋଗ କଲେ ହିତାଧିକାରୀ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ରିଟେଲର ବର୍ଷ ବର୍ଷ ଧରି ହଳଦିଆ ଗ୍ରାମର କେତେକ ଆଦିବାସୀ ଲୋକଙ୍କୁ ରାସନ ସାମଗ୍ରୀ ନଦେଇ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ନେଇ ହିତାଧିକାରୀମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉକ୍ତ ରିଟେଲରର ଲାଇସେନ୍ସ ରଦ୍ଦ କରିବା ସହ ବକେୟା ରାସନ ସାମଗ୍ରୀ ଦେବା ପାଇଁ ଦାବି କରିଛନ୍ତି ।
ହଳଦିଆ ଗ୍ରାମର ରିଟେଲର ହିତାଧିକାରୀ ସୁକ ସିଂକୁ ୪୫ମାସ, କଟିନ ସିଂର ୨୧ ମାସ, ସସ୍ମିତା ସିଂର ୭ମାସ, ମଞ୍ଜୁଲତା ରାଉତର ୧୧ମାସ, ଲକ୍ଷ୍ମୀ ସିଂ, ଶ୍ରୀମତୀ ସିଂ, ପୁଣ୍ଟ ସିଂ, କୁନି ସିଂ, ବାସନ୍ତୀ ସିଂ, ବୁଧୁନି ସିଂ, କବିତା ସିଂ, କୁନି ସିଂ ପ୍ରମୁଖଙ୍କୁ ରାସନ କାର୍ଡ଼ର ସାମଗ୍ରୀ ଦେଇନାହାନ୍ତି । ଲୋକମାନଙ୍କୁ କାର୍ଡ଼ କଟିଯାଇଛି ବୋଲି କହି ଫେରାଇ ଦେଉଛନ୍ତି । ପୂର୍ବରୁ ଏ ବାବଦରେ ରେମୁଣା ବିଡ଼ିଓଙ୍କ ଅଫିସର ଧାରଣା ଦେବାପରେ ରିଟେଲରକୁ ଉପଜିଲାପାଳ ନିଲମ୍ବିତ କରିଥିଲେ । କିନ୍ତୁ ଖାଲି ନିଲମ୍ବିତ କରିଦେଇ ଚୁପ୍ ଚାପ୍ ବସି ଯାଇଛନ୍ତି । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହିତାଧିକାରୀମାନେ ଜିଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପ୍ରେମ ରଞ୍ଜନ ପାତ୍ର, ରାମଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ଦାସ, ସଞ୍ଜୟ ବିଶ୍ୱାଳ, ମଙ୍ଗଲ ସିଂ, ଉତ୍ତମ ମହାନ୍ତି, ବାସୁଦେବ ମହାନ୍ତି, ଉଦୟ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।