ଦଳ ସହ ବିଜେପିରେ ମିଶିଲେ କ୍ୟାପଟେନ
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଅଧ୍ୟକ୍ଷ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଉ ତାଙ୍କ ପାର୍ଟି ପିଏଲସି ମଧ୍ୟ ବିଜେପିରେ ବିଲୟ ହୋଇଛି । ଏହି ସମୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଆଇନ ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ଥିଲେ ।
ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ । ବିଜେପି ସହ ମେଂଟ କରି ନିର୍ବାଚନ ଲଢ଼ିଥିବା ଶ୍ରୀ ସିଂହ ସଂପୂର୍ଣ୍ଣ ଭାବେ ପଦ୍ମ ଦଳ ସହ ଲୀନ ହେବେ ବୋଲି ଚର୍ଚ୍ଚା ହୋଇଥିଲା ।
ନୂଆ ଦଳ ଗଠନ କରିବା ପୂର୍ବରୁ କ୍ୟାପ୍େଟନ ଅମରିନ୍ଦର ସିଂହ ଦୀର୍ଘ ୫ ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ । ୨୦୧୭ରେ କଂଗ୍ରେସ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ ବିଧାନସଭା ନିର୍ବାଚନର ଠିକ୍ କିଛି ମାସ ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ଶେଷରେ ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା ।
ସୂଚନା ଯେ, କ୍ୟାପଟେନ ଅମରିନ୍ଦର ସିଂହ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ଆଜି ବୈଠକ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ କଂଗ୍ରେସ ଉପରେ ରାଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପିଏଲସି ଗଠନ କରିଥିଲେ ।