ଶ୍ରୀକ୍ଷେତ୍ର ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ପରାକ୍ରମ ଦେଖାଇଲେ ବାୟୁବୀର
ପୁରୀ : ଶ୍ରୀକ୍ଷେତ୍ର ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ନୀଳ ଆକାଶକୁ ଛୁଇଁ ସୂର୍ଯ୍ୟଙ୍କ ସହ ଆଖି ମିଶାଇଲେ ସୂର୍ଯ୍ୟକରିଣ ଏରୋବାଟିକ ଟିମ । ୯ଟି ହକ ଲଢୁଆ ବିମାନରେ ରଣ କୌଶଳ ସହ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖାଇ ଶତ୍ରୁକୁ ଚେତାବାନୀ ଦେଲେ ଆମ ବାୟୁବୀର । ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଜଲୱା ଦେଖାଇବା ସହ ବୀରତ୍ବର ଗାଥା କହିଥିଲେ ସୂର୍ଯ୍ୟକିରଣ ଟିମ । କେତେବେଳେ ୫ଶହ ଫୁଟ୍ ତ ଆଉ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ ଦୁଃସାହସିକ ଏୟାର ସୋ’ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଆଜି ଶ୍ରୀକ୍ଷେତ୍ର ବେଳାଭୂମିରେ ଅନୁଷ୍ଠିତ ଏୟାର ସୋ’ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ବାୟୁସେନା ଅଧିକାରୀ ଏୟାର ସୋ’କୁ ଉପଭୋଗ କରିଥିଲେ।
ଗତକାଲି (ଶନିବାର) ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହଲସଲ କରିଥିଲେ । ସମୟ ଯେତିକି ପାଖଉଥିଲା ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଥିଲା। ଆଜି (ରବିବାର) ଏୟାର ସୋ’ ଅନୁଷ୍ଠିତ ହୋଇଥିଲା । ସକାଳୁ ପୁରୀରେ ଖିପି ଝିପି ବର୍ଷା ଥିବାରୁ ଏୟାର ସୋ ଆୟୋଜନ ନେଇ ଆଶା ଆଶଙ୍କା ରହିଥିଲା । ମାତ୍ର ପରେ ପାଗରେ ସୁଧାର ଆସିବା ପରେ ଏହି ଏୟାର ସୋ’ ହୋଇଥିଲା । ଏୟାର ସୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ନୀଳ ଆକାଶ ମଧ୍ୟରେ ୯ଟି ହକ୍ ବିମାନ କେତେବେଳେ ଲୁଚକାଳି ଖେଳୁଥିଲା ତ କେତେବେଳେ ବାଦଲ ଛାତି ଚିରି ବାହାରି ଆସୁଥିଲେ । ବାୟୁସେନାର ଚିତ୍ତାକର୍ଷକ ଏୟାର ସୋ’ ଦେଖି ବିମୋହିତ ହୋଇଛନ୍ତି ପୁରାବାସୀ ।
ଭୁବନେଶ୍ବରରେ ହୋଇଥିବା ଏୟାର ସୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ସୋ’ ପ୍ରଦର୍ଶିତ ହୋଇଥିଲା । ଆକାଶ ମାର୍ଗରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖି ଦର୍ଶକ ବେଶ୍ ରୋମାଞ୍ଚିତ ହୋଇଥିଲେ । ୯ଟି ହକ୍ ଲଢୁଆ ବିମାନ ଏହି କଳା କୌଶଳ ଦେଖାଇଥିଲେ । ବିମାନ ଗର୍ଜନରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର ଆକାଶ । ପ୍ରକାଶ ଥାଉକି, ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ବର କୁଆଖାଇ ବାଲିଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାର ସୋ’ ହୋଇଥିଲା । ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।