ଏତିହାସିକ ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଭସାଣି ରେ କେବଳ ପାରମ୍ପରିକ ବାଦ୍ୟ !
ଭୁବନ: ଐତିହାସିକ, ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଯାକ ଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାନ୍ତି କମିଟି ମୁଖ୍ୟ ତଥା ସହର ସଂଗଠନ ସଭାପତି ବାସୁଦେବ ବେହେରା, ନଗରପାଳ ଶୁଭେନ୍ଦୁ କୁମାର ସାହୁ, ତହସିଲଦାର ରୋଜାଲିନ ବେହେରା, ଏସଡିପିଓ ରଂଜନ କୁମାର ଦେ, ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ, ବିଡିଓ କଲ୍ୟାଣ ସୌରଭ ଦାସ ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା, ପଣ୍ଡିତ ମାତୃପ୍ରସାଦ ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ । ଭସାଣିରେ କେବଳ ପାରମ୍ପରି ବାଦ୍ୟ ସାମିଲ ହେବ ଏଥିରେ ଖିଲାପ କଲେ କିମ୍ବା ଅଯଥା ବିଳମ୍ବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା ।ଦଶହରା ପୂର୍ବରୁ ଭୁବନର ମୁଖ୍ୟରାସ୍ତା, ଡ୍ରେନ, କଲଭର୍ଟ ମରାମତି କରାଯିବା ସହିତ ପ୍ରତ୍ୟେକ ଇଲେକ୍ଟ୍ରି ଖୁଂଟରେ ଆଲୋକ ଲଗାଇବା, ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସଜାଡିବା ଓ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରାମତି/ନିର୍ମାଣ, ସମସ୍ତ ଶୌଚାଳୟ ଚାଲୁକରିବା ପାଇଁ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ବିଭିନ୍ନ ବଜାର କମିଟି, ପୂଜା କମିଟି ସଦସ୍ୟ ଯୋଗଦେଇଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।