୫-ଟିରେ ଭିସୁଟ୍ ର ହେବ ରୂପାନ୍ତରିକରଣ; ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ
୨୦୨୬ ସୁଦ୍ଧା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ
୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି ଟଙ୍କା
ଭୁୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି (ଭିସୁଟ୍)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍ଟି ଡିସିପ୍ଲିନାରୀ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ । ଏଥିରେ ସ୍କୁଲ ଅଫ୍ ଇଂଜିନିୟରିଂ, ସ୍କିଲ ଡେଭେଲପମେଂଟ ସେଂଟର, ସ୍କୁଲ ଅଫ୍ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ୍ ବେସିକ୍ ସାଇନ୍ସ ପରି ୭ଟି ସ୍କୁଲ ରହିବ ।
ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ । ବର୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି । ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସର ମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍ ରେ ଜଣେ ପୂର୍ବତନ ଛାତ୍ର ମେଂଟର ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାଦ୍ୱାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଂଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଂଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ ।
ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଲୋଚନା ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ । ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।