ବିଦ୍ୟୁତ ଆଘାତରେ ୨ ହାତ ହରାଇଥିବା ଶିଶୁକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା
ଦେବଗଡ଼ : ଦେବଗଡ଼ ଜିଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମରେ ଗତ ଜୁଲାଇ ୧ରେ ଜିଲୁ ମାଝୀଙ୍କ ୭ ବର୍ଷୀୟ ଶିଶୁପୁତ୍ର ମୁନା ମାଝୀ ୧୧କେଭି ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିଲା। ଉକ୍ତ ଘଟଣାରେ ଆଜି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମୁନାକୁ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ଚେକ ପ୍ରଦାନବେଳେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ଜରୁରୀକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଆଗାମୀ ଦିନରେ ମୁନାର ଆବଶ୍ୟକ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ମଧ୍ୟ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ମୁନା ମାଝୀ ପଡ଼ିଶା ଘର ଛାତ ଉପରେ ଖେଳୁଥିବାବେଳେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପ୍ରଥମେ ମୁନାକୁ ଛତାବର ଗୋଷ୍ଠୀ କେନ୍ଦ୍ର, ସେଠାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁଣି ବୁର୍ଲା ପରେ କଟକ ବଡ ମେଡିକାଲ ଓ ଶେଷରେ ଭୁବନେଶ୍ୱର ହାଇଟେକ ମେଡିକାଲ ପର୍ଯ୍ୟନ୍ତ ସମସ୍ତ ପ୍ରୟାସ ସତ୍ୱେ ୨ ହାତ କାଟିବାକୁ ପଡ଼ିଥିଲା । ତେବେ ଦୀର୍ଘ ଦିନର ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗୁ ସମ୍ଭବ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଶିଶୁର ଭବିଷ୍ୟତକୁ ସୁରକ୍ଷିତ ପାଇଁ ସରକାର ସହାୟତା କରିବାକୁ ତାଙ୍କ ବାପା ଜିଲୁ ମାଝୀ ପୁଣିଥରେ ଅନୁରୋଧ କରିଛନ୍ତି ।