ବାଇକକୁ ଧକ୍କା ଦେଲା ଅଜଣା ଗାଡି : ଜଣେ ମୃତ, ଜଣେ ଗୁରୁତର
ଦେବଗଡ଼ : ଦେବଗଡ଼ ଜିଲା ଅନ୍ତର୍ଗତ କୁରଡ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ମୃତକ ହେଲେ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡର ସୁନୀଲ ସାହୁଙ୍କ ପୁଅ ଚନ୍ଦ୍ରଶେଖର ସାହୁ (୩୬) । ସେହିପରି ଆହତ ଜଣଙ୍କ ହେଲେ ଦେବଗଡ ସହର ରଙ୍ଗିଆଗୁଡା ଅଞ୍ଚଳର କାଶିଆ ପଲେଇଙ୍କ ବିନୋଦ ପଲେଇ (୫୫) ।
ସୂଚନା ଯେ, ଚନ୍ଦ୍ରଶେଖର ଓ ବିନୋଦ କୌଣସି କାର୍ଯ୍ୟରେ କୁରଡ ଗ୍ରାମକୁ ଯାଇ ବାଇକ ଯୋଗେ ୪୯ ନମ୍ବର ଜାତୀୟ ରାଜପଥରେ ଦେବଗଡ ଆସୁଥିବା ବେଳେ କୌଣସି ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ଚନ୍ଦ୍ରଶେଖରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ବିନୋଦଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବିନୋଦଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦେବଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।