ଦୁର୍ଗା ପୂଜା ଅବସରରେ ବିମଳାଙ୍କ ଷୋଳଦିନ ପୂଜା ଭିତରେ ମନ୍ଦିର ଭିତରକୁ ଯାଆନ୍ତିନି ସ୍ତ୍ରୀଲୋକ

ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ୱିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଦିନ ଅର୍ଦ୍ଧରାତ୍ରି ସମୟରେ ଯେତେବେଳେ ମହାନିଶା ସମୟ ଆସିଥାଏ,ତିନି ଦିନ ସେହି ସମୟରେ ପଶୁପ୍ରୋକ୍ଷଣ ବା ବଳିଦାନ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ବିମଳାଙ୍କ ଷୋଳଦିନ ପୂଜା ଭିତରେ କୌଣସି ସ୍ତ୍ରୀଲୋକ ମନ୍ଦିର ଭିତରକୁ ଯାଆନ୍ତି ନାହିଁ ।
ସୋମବଂଶୀ ରାଜତ୍ୱ(ସପ୍ତମ ଶତାବ୍ଦୀ) ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇସାରିଥିଲା । ଐତିହାସିକ କେଦାରନାଥ ମହାପାତ୍ରଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର ।
ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା । ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ୱରେ ଦୁଇଜଣ ଦେବକନ୍ୟା ଓ ନାଗକନ୍ୟା ଠିଆହୋଇଛନ୍ତି । ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହାବିଦ୍ୟା, ଦୁର୍ଗା ଆଦି ମଧ୍ୟ ପୂଜାପାଉଛନ୍ତି ।
ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ । ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ, ବେଢ଼ାବାହାରେ ବଳି ଦିଆଯାଇ କେବଳ ଛାଗର ମସ୍ତକ ଭିତରକୁ ଅଣାଯାଇଥାଏ । କେବଳ ନିର୍ବାଚିତ କୌଳିକ ବ୍ରାହ୍ମଣ ମାନେ ଏହିନୀତି ସମ୍ପାଦନ କରିଥାନ୍ତି ଓ ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଏହି ଷୋହଳଦିନ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ । ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ବିମଳାଙ୍କୁ ବିଭିନ୍ନ ବେଶ କରାଯାଏ । ଷୋଳପୂଜାର ଦ୍ୱିତୀୟ ଦିନଠାରୁ ୧୨ଦିନ ପର୍ଯ୍ୟନ୍ତ ଯଥାକ୍ରମେ ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ୱରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସିଂହବାହିନୀ, ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ କରାଯାଏ ।
ମା’ ବିମଳାଙ୍କ ଅବସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ବର୍ଷକର ବାର ମାସ ମଧ୍ୟରେ ପଡୁଥିବା ବିଭିନ୍ନ ଉତ୍ସବ ମଧ୍ୟରେ ଦେବୀ ବିମଳାଙ୍କ ଆଶ୍ୱିନ ମାସର ସାର୍ବଜନିନ ଦୁର୍ଗା ପୂଜାର ଷୋଳହଦିନ ବ୍ୟାପି ପୂଜାବିଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥାଏ । ବିମଳାଙ୍କର ସହସ୍ରାକୁମ୍ଭାଭିଷେକର ପୂଜାବିଧିର ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ଶୁଭାରମ୍ଭ ହୁଏ ଷୋଳହ ପୂଜାର ବିଧିବିଧାନ ।
ଆଶ୍ୱିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରରେ ଏହି ଦିବସ ଅବସରରେ ସକାଳଧୂପ ଉଠିବା ପରେ ଭଣ୍ଡାର ଘରୁ ଦୁର୍ଗା ଆଜ୍ଞାମାଳ ପ୍ରାପ୍ତ ହୋଇ ପତି ମହାପାତ୍ର ସେବାୟତଙ୍କଦ୍ୱାରା ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ପଣ୍ଡା, ପତି ଓ ମୁଦିରସ୍ତ ଆଦି ସେବାୟତମାନେ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଦେବୀଙ୍କୁ କୋଠା ଭୋଗ ପାଣିଆ ଦେଇଥିବା ଏକ ହଜାର ଗରା ପାଣିରେ ସ୍ନାନ କରାଇବା ପରେ ଠାକୁରାଣୀଙ୍କ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ସହିତ ବେଶବିଧି ସମ୍ପନ୍ନ ହୁଏ ଏବଂ ପାଣି ପକାଯାଇ ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ସହିତ ପଣ୍ଡା ସେବାୟତ ଷୋଡ଼ଷ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯାଏ । ପରେ ବନ୍ଦାପନା ବିଧି ଶେଷ କରାଯାଇ ଦୁର୍ଗାଦେବୀଙ୍କୁ ଭଣ୍ଡାର ଦ୍ୱାରଠାରେ ବିଜେକରାଯାଏ। ସେଠାରେ ଶ୍ରୀବାଳ ପୁରୁଷୋତ୍ତମ ଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହିତ କୋଠସୁଆଁସିଆ ଦେଇଥିବା ଭଦ୍ରାସନରେ ଦୁର୍ଗାଦେବୀଙ୍କ ସହିତ ଏକତ୍ର ରୁନ୍ଧାଯାଇ ଜୟବିଜୟ ଦ୍ୱାର ଦେଇ ଝୁଲଣମଣ୍ଡପ ନିକଟରେ ଥିବା ପାଲିଙ୍କିରେ ଉଭୟ ଦୈବ-ଦେବୀଙ୍କୁ ବିଜେ କରାଯାଏ । ଏହି ସମୟ ମଧ୍ୟରେ ମା’ ବିମଳାଙ୍କର ସହସ୍ର କୁମ୍ଭବରଣ ପୂଜାବିଧି ସଂପୂର୍ଣ୍ଣ ହୋଇ ବ୍ରହ୍ମାବରଣ ପାଇଁ ବରୁଣ ପୂଜା, ଆଚାର୍ଯ୍ୟ ବରଣ, ସ୍ୱସ୍ତିବଚନ, ଚଣ୍ଡିବରଣ ସଂକଳ୍ପ ପରେ ପାଣି ପଡ଼ି ଓ ପାହାଡା ପଡ଼ି ଭୋଗବଢାଯାଇ ମା’ ବିମଳାଙ୍କୁ ଷୋଡ଼ଷ ଉପଚାରରେ ଭୋଗ କରାଯାଏ । ଏହା ପରେ ବିମଳା ମନ୍ଦିରରେ ବିଜେହୋଇଥିବା ଠାକୁରଠାକୁରାଣୀ ମନ୍ଦିର ଖଟ ଉପରେ ବିଜେ କରନ୍ତି। ପୂର୍ବରୁ ଭିତରଚ୍ଛ ମହାପାତ୍ର ସେବାୟତ ରୁପା ପିଙ୍ଗଳାରେ କର୍ପୂରଜଳ ଲାଗିକରାଇବେ ଠାକୁରଠାକୁରାଣୀଙ୍କୁ । ସେଠାରେ ପାଣିପଡ଼ି ଶୀତଳ ଭୋଗ ମଣୋହି କରାଯିବା ସମେତ ବନ୍ଦାପନା ନୀତି ସମାପନ ହେବ। ମହାପ୍ରଭୁଙ୍କ ଭିତରେ ରାତ୍ର ଚନ୍ଦନଲାଗି ଶେଷ ହେବା ପରେ ବିମାନବଡୁମାନେ ଦିଅଁମାନଙ୍କୁ ବାହୁଡା ବିଜେ କରାନ୍ତି। ଶ୍ରୀବାଳ ପୁରୁଷୋତ୍ତମ ଦେବ ଏବଂ ଦୁର୍ଗା ଦେବୀଙ୍କର ରୁନ୍ଧା ମୂର୍ତ୍ତି ୧୬ ଦିନ ଧରି ରହୁଥିବା ବିଧାନ ଥିବା ବେଳେ ଦଶହରା ବିସର୍ଜନ ଦିବ ରୁନ୍ଧା ଫିଟିଥାଏ।