ମା’ ଭଗବତୀଙ୍କର ଶାରଦୀୟ ଦୁର୍ଗାତ୍ସବ ରୀତିନୀତି ଅତୀବ ରହସ୍ୟମୟ

ବାଣପୁର ସହରର ପଶ୍ଚିମ ଦିଗରେ ଘଣ୍ଟଶିଳା ପାହାଡ଼ ନିକଟରେ ଶାଳିଆ ନଦୀ କୂଳରେ ଭଗବତୀଙ୍କ ଦେଉଳ ଅବସ୍ଥିତ । ପ୍ରଧାନ ଦେଉଳ ସଂଲଗ୍ନରେ ଜଗମୋହନ ଓ ମଣ୍ଡପ ରହିଛି । ପଶ୍ଚିମାଭିମୁଖି ଦେବୀଙ୍କ ସିଂହଦ୍ୱାର ଉତ୍ତରଦିଗକୁ ରହିଛି । ୪୦ଫୁଟ ଉଚ୍ଚ ଦେଉଳର ବେଢ଼ାଟି ପ୍ରାୟ ୧୦୦ଫୁଟ ପ୍ରସ୍ଥ ଓ ଦୈର୍ଘ୍ୟର ଏକ ବର୍ଗାକାର କ୍ଷେତ୍ର । ଦେଉଳର ଦକ୍ଷିଣ ଓ ଉତ୍ତର ଦିଗରେ ବେଢ଼ା ମଧ୍ୟରେ ରହିଛି ପାକଶାଳା, ପର୍ବଘର ଓ ମୁଆଁଘର ରହିଛି ।
ଦେଉଳରେ ଭଗବତୀଙ୍କର ପ୍ରାୟ ପାଞ୍ଚଫୁଟ ଉଚ୍ଚର ଅଷ୍ଟଭୁଜା ପ୍ରସ୍ତରମୁର୍ତ୍ତି ପୂଜା ପାଉଛନ୍ତି । ଦେବୀ ପ୍ରଧାନ ଦୁଇ ହସ୍ତରେ ଧରିଥିବା ତ୍ରିଶୂଳରେ ମହିଷାସୁରର ବକ୍ଷକୁ ବିଦ୍ଧ କରୁଥିବା ମୁଦ୍ରାରେ ସିଂହ ଉପରେ ଦଣ୍ଡାୟମାନ ଅଛନ୍ତି । ଅଷ୍ଟଭୁଜା ଦେବୀ ତାଙ୍କର ପ୍ରଧାନ ଦୁଇ ହସ୍ତରେ ତ୍ରିଶୂଳ ଧାରଣ କରିଥିବାବେଳେ, ଅନ୍ୟ ଛଅଟି ହସ୍ତରେ ଖଡ଼୍ଗ, ସର୍ପ, ଧନୁ, ଅଙ୍କୁଶ, ଶଙ୍ଖ ଓ ଚକ୍ର ଧାରଣ କରିଅଛିଅନ୍ତି । ମଇଁଷି ଗଣ୍ଡିରୁ ଛିନ୍ନ ମୁଣ୍ଡଟି ଭୂଲୁଣ୍ଠିତ ହେବାପରେ ମଇଁଷି ଶରୀର ମଧ୍ୟରୁ ଆତ୍ମପ୍ରକାଶ କରିଥିବା ଅସୁରର ନିଧନ ଉଦ୍ଦେଶ୍ୟରେ ଦେବୀଙ୍କ ତ୍ରିଶୂଳ ବିଦ୍ଧ କରିଛି ଦାନବର ବକ୍ଷ ଓ ଦେବୀଙ୍କ ହସ୍ତର ସର୍ପ ମଧ୍ୟ ଶତ୍ରୁ ବିପକ୍ଷରେ ଦଂଶନ ପ୍ରବଣ ହୋଇ ରହିଛି । ସମ୍ପୂର୍ଣ୍ଣରୂପେ ବସ୍ତ୍ରାବୃତ ପ୍ରତିମାର ମୁଖମଣ୍ଡଳଟି ଦୁଇଟି ରୁପାର ଚକ୍ଷୁ, ରୁପାର ପାଟି ଓ ସୁନାର ଜିଭଦ୍ୱାରା ସଜ୍ଜିତ । ଦେଉଳର ଜଗମୋହନର ପୂଜା ପାଉଛନ୍ତି ବିରଜାଇ ଭାବେ ପରିଚିତ ଶାଢ଼ୀ ପରିବୃତ ଏକ ସ୍ତମ୍ଭ । ବିରଜାଇଙ୍କ ମୁଖ୍ୟ ମନ୍ଦିର ଭଗବତୀ ଦେଉଳଠାରୁ ୧୨ କିଲୋମିଟର ଦୁର ସାଳିଆ ଗାଁ ନିକଟରେ ଅବସ୍ଥିତ । ଦେଉଳର ପଶ୍ଚିମ ପାର୍ଶ୍ୱରେ ରହିଛି ଅଣଓସାରିଆ ବଳିକ୍ଷେତ୍ର ଓ ପଳାସକୁଣି ଦେଉଳ । ପଶୁ ବଳି ପଡ଼ିବାପରେ ଗଣ୍ଡିଗୁଡ଼ିକୁ ଦେବୀ ପଳାସକୁଣୀଙ୍କୁ ଅର୍ପଣ କରାଯାଇଥାଏ ।
ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କର ଶାରଦୀୟ ଦୁର୍ଗାତ୍ସବର ପୀଠ ରୀତିନୀତି ଅତୀବ ରହସ୍ୟମୟ। ଭଗବତୀ ସଂସ୍କୃତିରେ ଉଭୟ ବନଦୁର୍ଗା ଏବଂ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କର ଉପାସନା କରାଯାଏ। ମୂଳାଷ୍ଟମୀ ଠାରୁ ପର୍ବ ଆରମ୍ଭ ହେଇ ଦଶହରାରେ ସମାପ୍ତ ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ତ୍ରିକାଳ ପୂଜା କରାଯାଏ। ଏଥିରେ ପୂର୍ବାହ୍ନରେ ଫଳମୂଳ ଓ ଅପରାହ୍ନରେ ଏବଂ ରାତ୍ରିରେ ସଙ୍ଖୁଡି ପୂଜା କରାଯାଏ। ମହାନବମୀ ଦିନ ଏକ ଦିନାତ୍ମକ ପୂଜା କରାଯାଏ।
ଭଗବତୀ ପୀଠର ବିଶେଷତ୍ୱ ଯେ ସେହି ଏକଦିନାତ୍ମକ ମହାନବମୀ ପୂଜାରେ ମଧ୍ୟରାତ୍ରରେ ମହିଷ ବଳି ସହିତ ଇନ୍ଦ୍ର ଓ ଇନ୍ଦ୍ରାଣି ପୂଜା ହୁଏ । ଭଗବତୀଙ୍କର ପୃଷ୍ଠଦେଶରେ ଥିବା ମନ୍ଦିର ବାହ୍ୟ ପାର୍ଶ୍ୱରେ ଦେବୀ ବଜ୍ରବରାହୀ ବା ଐନ୍ଦ୍ରି ଭଗବତୀ ପୀଠର ମତ୍ସ୍ୟମାଧବୀ ଉପାସନା ବିଧି ଅନ୍ୟତ୍ର ଦୃଷ୍ଟିଗୋଚର ହୁଏନାହିଁ ।
ମହାଅଷ୍ଟମୀ ପୂଜାରେ ଭଗବତୀଙ୍କର ପ୍ରଥମ ଯଜମାନ ପାରିକୁଦ ରାଜା ଦେବୀଙ୍କର ଆମିଷ ଭୋଗ ନିମନ୍ତେ ତିନୋଟି ଛାଗ ପ୍ରଦାନ କରନ୍ତି ଏବଂ ପ୍ରସାଦ ରୂପ୍ରେ ଗ୍ରହଣ କରନ୍ତି। ମହାଷ୍ଟମୀରେ ମଧ୍ୟରାତ୍ରିରେ ମହିଷ ଆମିଷ ଭୋଗ ରୂପେ ଏବଂ ନବମୀ ଦଶମୀ ସନ୍ଧି ବ୍ରାହ୍ମମୁହୂର୍ତ୍ତ ପୂଜାରେ ମାଛ, ମାଂସ, ବେଲପତ୍ର , ମହାପ୍ରସାଦ, ତୁଳସୀ , ରୁଧିର ଏକତ୍ର ପୂଜା ହୁଏ। ଏହାକୁ ଇନ୍ଦ୍ରପୂଜା କୁହାଯାଏ।ପ୍ରଥମେ ପଦ୍ମମୁଦ୍ରାରେ ଆସନ ପାତ୍ରରେ ପାଞ୍ଚଟି ଫୁଲ ରଖାଯାଏ। ତା’ପରେ ସ୍ୱାଗତ ମୁଦ୍ରାରେ ଛଅଗୋଟି ଫୁଲ ରଖାଯାଏ। ତା’ ପରେ ପାଦ୍ୟମୁଦ୍ରା ଏବଂ ଅର୍ଘ୍ୟମୁଦ୍ରାରେ ତାମ୍ରପାତ୍ରରେ ଜବଧାନ, କୁଶ,ତିଳ ଏବଂ ଶ୍ୱେତ ସୋରିଷ ରଖାଯାଏ। ଆଚମନ ମୁଦ୍ରାରେ ଜାଇଫଳ, ଲବଙ୍ଗ, ଗନ୍ଧକାଙ୍ଗୁଳା ଜଳକୁ ଆଚମନ ପାତ୍ରରେ ରଖାଯାଏ । ମଧୁପର୍କ ମୁଦ୍ରାରେ ଘୃତ,ମଧୁ ଏବଂ ଚିନି କାଂସ ପାତ୍ରରେ ରଖାଯାଏ । ସ୍ନାନ ମୁଦ୍ରାରେ ଚନ୍ଦନ ଓ ପଦ୍ମକେଶର ମିଶ୍ରିତ ଜଳ ରଖାଯାଏ । ବସନ ମୁଦ୍ରାରେ ବସନ ରଖାଯାଏ । ତା’ ପରେ ଆବରଣ ମୁଦ୍ରାରେ ଚମ୍ପାଫୁଲ, ଗନ୍ଧମୁଦ୍ରାରେ ଚନ୍ଦନ, ସୁମନ ମୁଦ୍ରାରେ ବେଲପତ୍ର, ପଦ୍ମଫୁଲ,ମନ୍ଦାର ଏବଂ ପୁଷ୍ପାଞ୍ଜଳୀ ଦିଆଯାଏ ।