ଶାନ୍ତି ଫେରାଇ ଆଣିବାକୁ ୫ ଉଗ୍ରବାଦୀ ଗୋଷ୍ଠୀଙ୍କ ସହ ଐତିହାସିକ ଚୁକ୍ତି କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଦେଶରେ ଉତ୍ତର-ପୂର୍ବ କ୍ଷେତ୍ରରେ ଶାନ୍ତି ଫେରାଇ ଆଣିବାକୁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଚାଲିଛି । ଏହି କ୍ରମରେ ଗୁରୁବାର ଦିନ ସରକାର ଓ ୫ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷର ହେବାକୁ ଯାଉଛି । ବିଶେଷ କଥା ହେଉଛି ଏହି ଐତିହାସିକ ଚୁକ୍ତି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଓ ଅନ୍ୟାନ୍ୟ ବହୁ ବଡ ଅଧିକାରୀ ଉପସ୍ଥିତ ରହିବେ । ଜାନୁଆରୀ ୨୦୨୦ ରେ ମଧ୍ୟ ଭାରତ ସରକାର, ଆସାମ ସରକାର ଓ ବୋଡୋ ପ୍ରତିନିଧୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ସରକାରୀ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟରେ ଅପରାହ୍ନ ୫ ଟା ପରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ କରିପାରନ୍ତି । ଏହି ଶାନ୍ତି ଚୁକ୍ତିନାମାକୁ କେନ୍ଦ୍ର ସରକାର, ଆସାମ ସରକାର ଓ ରାଜ୍ୟରୁ ପାଞ୍ଚଜଣ ବିଦ୍ରୋହୀ ଦଳ ସ୍ୱାକ୍ଷର କରିବେ । ଏଥିମଧ୍ୟରେ ଅଲ୍ ଆଦିବାସୀ ନ୍ୟାସନାଲ ଲିବରେସନ୍ ଆର୍ମି, ଆଦିବାସୀ କୋବ୍ରା ମିଲିଟାନ୍ସ ଅଫ ଆସାମ, ବିର୍ସା କମାଣ୍ଡୋ ଫୋର୍ସ, ସନ୍ଥାଲ ଟାଇଗର ଫୋର୍ସ ଓ ଆଦିବାସୀ ପିପୁଲ୍ସ ଆର୍ମି ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି ଗୋଷ୍ଠୀମାନେ ସରକାରଙ୍କ ସହ ଅସ୍ତ୍ରବିରତି ଚୁକ୍ତି ସ୍ଵାକ୍ଷର କରିଛନ୍ତି । ଖବର ମୁତାବକ ଆସାମ ପୋଲିସର ସୁରକ୍ଷା ଅଧୀନରେ ଏହି ଗୋଷ୍ଠୀର ଶହ ଶହ ସଦସ୍ୟ ସାମୟିକ ଭାବେ କ୍ୟାମ୍ପରେ ରହିଛନ୍ତି । ଏହି ଗୋଷ୍ଠୀଗୁଡିକ ପ୍ରାୟ ଏକ ବର୍ଷ ପୂର୍ବେ ସେମାନଙ୍କର କାର୍ଯ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ ଓ ସେବେଠାରୁ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଶାନ୍ତି ଆଲୋଚନା ଚାଲିଛି ।
ଚୁକ୍ତିନାମା ସ୍ୱାକ୍ଷର ସମୟରେ ସିଏମ୍ ଶର୍ମା ଓ ଆସାମ ସରକାରଙ୍କ ବହୁ ଅଧିକାରୀଙ୍କ ସମେତ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଉପସ୍ଥିତ ରହିବେ । ଏହି ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର ହେବା ପୂର୍ବରୁ ଶର୍ମା ଆସାମ ହାଉସରେ ପାଞ୍ଚଟି ଉଗ୍ରବାଦୀ ଗୋଷ୍ଠୀ ସହିତ ସାକ୍ଷାତ କରିବେ । ଏହା ପରେ ସେ ଗୃହ ମନ୍ତ୍ରଣାଳୟକୁ ଯିବେ । ଏହାପୂର୍ବରୁ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ଏହି ଗୋଷ୍ଠୀ ସହ ଅନେକ ଥର ଆଲୋଚନା କରିଥିଲେ ।
ବିଶେଷ କଥା ହେଉଛି ୨୦୨୦ ବୋଡୋ ପ୍ରତିନିଧୀଙ୍କ ସହ ହୋଇଥିବା ଚୁକ୍ତିନାମା ସହିତ ୫୦ ବର୍ଷ ପୁରୁଣା ବୋଡୋ ସଙ୍କଟ ସମାପ୍ତ ହୋଇଛି । ପରିସଂଖ୍ୟାନ ଦର୍ଶାଏ ଯେ ବୋଡୋଲାଣ୍ଡର ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ୍ର ତିନିଟି ଦଳର ମୋଟ ୧୬୧୫ କ୍ୟାଡର ଆତ୍ମସମର୍ପଣ କରିଛନ୍ତି ।