ମମତା ସରକାର ବିରୋଧରେ ‘ନବନ୍ନା ଚଲୋ’ ଅଭିଯାନ : ପୋଲିସ ଗାଡ଼ିରେ ନିଆଁ ଲଗାଇଲେ ବିଜେପି କର୍ମୀ
କୋଲକାତା: ମମତା ସରକାରଙ୍କ ବିରୋଧରେ କୋଲକାତାରେ ମଙ୍ଗଳବାର ବିଜେପିର ‘ନବନ୍ନା ଚଲୋ’ ଅଭିଯାନ ଅନ୍ତର୍ଗତ ବିକ୍ଷୋଭ ପ୍ରଦର୍ଶନ ବେଳେ ହିଂସା ଘଟିଛି । ବିଜେପି କର୍ମୀଙ୍କୁ ସଚିବାଳୟରେ ପହଞ୍ଚିବା ପୂର୍ବରୁ ମଝି ରାସ୍ତାରେ ବିଜେପିକର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି । ପୋଲିସ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ଲକେଟ୍ ଚାଟାର୍ଜୀଙ୍କ ସହ ବହୁ ବିଜେପି ନେତା ଓ କର୍ମୀଙ୍କୁ ଅଟକ ରଖିଛି।
ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ବିଜେପି କର୍ମୀମାନେ ରାଗି ଯାଇଥିଲେ। କୋଲକାତାର ଲାଲବଜାର ଅଞ୍ଚଳରେ ବିକ୍ଷୋଭକାରୀମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ପାଣି ତୋପ ବ୍ୟବହାର କରିଥିଲା।
ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ , ସାଂସଦ ଲକେଟ୍ ଚାଟାର୍ଜୀଙ୍କ ସମେତ ଅନେକ ନେତା ସାନ୍ତ୍ରାଗାଚି ରେଳ ଷ୍ଟେସନ ନିକଟରେ ପୋଲିସ ଦ୍ୱାରା ଅଟକ ରହିଥିଲେ। ବିଜେପି ନେତା ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକମାନେ ଆଉ ମମତା ବାନାର୍ଜୀଙ୍କ ସହିତ ନାହାଁନ୍ତି । ତେଣୁ ସେ ପଶ୍ଚିମବଙ୍ଗରେ ଉତ୍ତର କୋରିଆ ଭଳି ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ଦିଲୀପ ଘୋଷ ବେଙ୍ଗଲ ପୋଲିସକୁ ତୃଣମୂଳ କର୍ମୀଙ୍କ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।
ସଚିବାଳୟକୁ ତିନି ଆଡୁ ଘେରିବାକୁ ବିଜେପି ଯୋଜନା କରିଥିଲା। ହାୱଡା ରେଳ ଷ୍ଟେସନରୁ ସୁକାନ୍ତୋ ମଜୁମଦାର, ସାନ୍ତ୍ରାଗାଚିରୁ ଶୁଭେନ୍ଦୁ ଅଧିକାରୀ ଏବଂ କଲେଜ ସ୍କ୍ବାୟରରୁ ଦିଲୀପ ଘୋଷ ସଚିବାଳୟ ଅଭିମୁଖେ ପଦଯାତ୍ରା କରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ତିନି ବିଜେପି ନେତାଙ୍କୁ ପୋଲିସ ଅଟକାଇଥିଲା। ବିଜେପି ନେତା ନେତାମାନଙ୍କୁ ଅଟକାଇବା ପାଇଁ ବେଙ୍ଗଲ ପୋଲିସ ସ୍ୱତନ୍ତ୍ର ବାହିନୀ ମୁତୟନ କରିଥିଲା।