୧୫ରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପକୋର୍ଟ ଶୁଣାଣି
ଭୁବନେଶ୍ୱର : ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଓ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜସ୍ୱ କ୍ଷେତ୍ରାଧିକାରୀ ଯଥା ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୫ ତାରିଖରୁ କ୍ୟାମ୍ପ କୋର୍ଟ ଶୁଣାଣିର ପୁଣି ଆରମ୍ଭ କରିବାକୁ କୁଯାଇଛି । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ ରୁ ୩ ଦିନ ବିଭିନ୍ନ ସେମାନଙ୍କ ଅଧିନସ୍ଥ ରାଜସ୍ୱ ନିରୀକ୍ଷକଙ୍କ ଅଫିସ, ପଂଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ୱ ମାମଲାର ଫଇସଲା କରିପାରିବେ ।
ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ଓ ପ୍ରତ୍ୟେକ ଡିଭିଜନର ରାଜସ୍ୱ ଆୟୁକ୍ତମାନଙ୍କୁ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି । ଏହା ପରେ ପ୍ରତ୍ୟେକ ଜିଲ୍ଲାର ନୋଡାଲ ଅଫିସରମାନଙ୍କୁ ତହସିଲ ଅଫିସର କ୍ୟାମ୍ପ କୋର୍ଟ ଉପରେ ସ୍ୱତନ୍ତ୍ର ଭାବରେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ । କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ୱ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।