ରେମୁଣା ନବମାତୃକା ପୂଜା ୨୦୨୨ର ପ୍ରସ୍ତୁତି ବୈଠକ; ପୂଜା ପାଇବେ ୯ ଗରିୟସୀ ମହିୟସୀ ମା’
ବାଲେଶ୍ୱର : ରେମୁଣା ନବମାତୂକା ପୂଜା କମିଟି ତରଫରୁ ଚଳିତବର୍ଷ ନବମାତୃକା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରେମୁଣା ଖିରଚୋରା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଡ. ଭାଗବତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ସଭାରେ କମିଟିର ପ୍ରତିଷ୍ଠିତା ସମ୍ପାଦକ ୰ଦିଲ୍ଲୀପ ନାୟକଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୨୦୧୫ରୁ ରେମୁଣା ନବମାତୂକା ପୂଜା ଆରମ୍ଭ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ୨୦୨୦ ଓ ୨୦୨୧ ବନ୍ଦ ରହିଥିଲା । ନୂତନ ସମ୍ପାଦକ ଭାବରେ ଇଂ. ବିଜୟ କୁମାର ସେଠୀଙ୍କୁ ଉପସ୍ଥିତ କର୍ମକର୍ତ୍ତା ମନୋନୀତ କରି ସ୍ୱାଗତ ଜଣାଇଥିଲେ ।
ବମାତୃକା ପୂଜାର ଆବାହକ ଶିଳ୍ପୀ କେଶୁଦାସ ବିଗତ ବର୍ଷମାନଙ୍କର ବିବରଣୀ ପ୍ରଦାନ କରିଥିବା ବେଳେ ଚଳିତ ବର୍ଷର ପ୍ରସ୍ତାବ ମାନ ରଖିଥିଲେ । ଚଳିତବର୍ଷ ନୂତନ ଭାବେ ଗଠିତ ହୋଇଥିବା ରେମୁଣା ବିଜ୍ଞାପିତ ଅଞ୍ଚଳର ଗରିୟସୀ ଓ ମହିୟସୀ ୯ଟି ବିଭାଗରୁ ଯଥା ଚାଷୀ ମା’, ଶିକ୍ଷା ମା’, ସ୍ୱାସ୍ଥ୍ୟ ମା’, ସେବା ମା’, ଗୃହିଣୀ ମା’, କବି ମା’, କାରିଗରୀ ମା’, ସଂସ୍କୃତି ମା’ ଓ ଗଛ ମା’ଙ୍କୁ ମନୋନୟନ କରାଯାଇ ଖିରଚୋରା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗୋତ୍ସବର ପବିତ୍ର ମହାନବମୀ ତିଥିରେ ପୂଜାର୍ଚ୍ଚନା କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି । ୯ ଜଣ ଗଣ୍ୟମାନ୍ୟ ଅତିଥି ଦ୍ୱାରା ୯ ମାଆଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କମିଟିର ପାରମ୍ପାରିକ ରୀତିରେ ପୂଜା କରାଯିବ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଖିରଚୋରା ଗୋପୀନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରାଙ୍କ ସହ କମିଟିର ନିରଞ୍ଜନ ସାହୁ, ପ୍ରଭାକର ସାହୁ, ରବିନ୍ଦ୍ର କୁମାର ବିଶ୍ୱାଳ, ଦେବାଶିଷ ପତି, ଦିବ୍ୟେନ୍ଦୁ ମଲ୍ଲିକ, ନରୋତ୍ତମ ଦାସ, ସୀତାନାଥ ଦାସ, ସୁଧୀର କୁମାର ଦାସ, ଗୌତମ ଦାସ ପ୍ରମୁଖ ସଦସ୍ୟାସଦସ୍ୟ ସୁଚିନ୍ତିତ ପ୍ରସ୍ତାବମାନ ଦେଇଥିଲେ । ଶେଷରେ ମିନତୀ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଭୁବନେଶ୍ୱର ନବମାତୃକା ପୂଜା କମିଟି ତରଫରୁ ଭୁବନେଶ୍ୱର ଶହୀଦ ନଗରସ୍ଥ ଆର୍ଯ୍ୟ ସମାଜ ପରିସରରେ ପବିତ୍ର ମହାଳୟା ତିଥିରେ ରାଜ୍ୟସ୍ତରୀୟ ୯ ଜଣ ଗରିୟସୀ ଓ ମହିୟସୀ ୯ ଜଣ ମାଆଙ୍କୁ ପୂଜା କରାଯିବ ବୋଲି ଭୁବନେଶ୍ୱର କମିଟିର ସଦସ୍ୟ ଶିଳ୍ପୀ କେଶୁଦାସ ଜଣାଇଛନ୍ତି ।