ଆଜିଠାରୁ ବଢିବ ବର୍ଷା : ୧୧ ଜିଲାକୁ ଅରେଞ୍ଜ ଓ ୧୪ ଜିଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ
ଭୁବନେଶ୍ୱର : ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ଏଥିପାଇଁ ୧୧ ଜିଲାକୁ ଅରେଞ୍ଜ ଓ ୧୪ ଜିଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ କଟକ ଜିଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କାରାଯାଇଛି । ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ନୂଆପଡା ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସେସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୫ରୁ ୫୫କି.ମି ବେଗରେ ପବନ ବହିପାରେ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ପ୍ରବେଶ ନକରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବାଙ୍ଗୋପସାଗର ଉପରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଛି। ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ଲଘୁଚାପର ରୂପ ନେବ ଓ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳସ୍ଥ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆସନ୍ତାକାଲି ଓ ୧୧ ତାରିଖ ଦିନ ରାଜ୍ୟର କିଛି କିଛି ଅଞ୍ଚଳରୁ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲାରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ।