ଅକ୍ଷୟ ତୃତୀୟାର ମହତ୍ତ୍ୱ : ସମସ୍ତ କାମରେ ମିଳିଥାଏ ଶୁଭ ଫଳ !
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ । ସେହିପରି ମୁହୂର୍ତ୍ତ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ହେଉଛି ଆବୁଝା ମୁହୁର୍ତ୍ତ ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ। ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ସେହିପରି ଏହି ଦିନ ଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ। ଏହି ଦିନକୁ ଓଡିଆ ଧର୍ମ ଗ୍ରନ୍ଥରେ ସବୁଠୁ ପବିତ୍ର ଦିନ ବୋଲି ବିବେଚନା କରାଯାଏ । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି । ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ, ମା ଅନ୍ନପୂର୍ଣ୍ଣାଙ୍କ ଜୟନ୍ତୀ ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବହୁତ କମ ସମୟ ଖୋଲାଯାଉଥିବା ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି । ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ଦିନ ସୁନାର ଚାହିଦା ଖୁବ ବଢିଯାଏ। ପ୍ରତ୍ୟେକ ସୁନା ଦୋକାନରେ ଲୋକଙ୍କ ବେଶ ଭିଡ଼ ଜମିବାର ଦେଖିବାକୁ ମିଳେ। ମାତ୍ର ଏହି ଦିନ ସୁନା କିଣିବାର ବିଶେଷ କାରଣ କ’ଣ ରହିଛି ଆସନ୍ତୁ ଜାଣିବା…..
୧- ଗ୍ରହଚକ୍ରରେ ଏହି ଦିନଟି ଅତ୍ୟନ୍ତ ଶୁଭ। କୌଣସି ଶୁଭ କାମ ପାଇଁ ଲୋକେ ସାଧାରଣତଃ ଅକ୍ଷୟ ତୃତୀୟା ଦିନଟିକୁ ବାଛି ଥାଆନ୍ତି। କାରଣ ଏହି ଦିନ କୌଣସି ଶୁଭକାର୍ୟ୍ୟ କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ମୁହୂର୍ତ୍ତ ଦେଖିବାକୁ ପଡ଼ିନଥାଏ। ଏପରିକି ସୁନା, ଗାଡ଼ି ଘର ଆଦି କିଣିବା ପାଇଁ ମଧ୍ୟ ଶୁଭ ସମୟ ଦେଖିବାକୁ ପଡ଼ିନଥାଏ। ଏହି ଦିନ ଯେଉଁ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
୨- ଅକ୍ଷୟ ତୃତୀୟା ଦିନ ସଠିକ ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ସହ ଓ ସୁନା କିଣିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ମା’ଙ୍କ କୃପା ସର୍ବଦା ରହିଥାଏ।
୩- ଏହି ଦିନ ସୁନା କିଣିଲେ ଜୀବନରେ ଅନନ୍ତ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସୁନା କିଣିଥିବା ବ୍ୟକ୍ତିଙ୍କ ସହ ସମଗ୍ର ପରିବାର ସଦସ୍ୟଙ୍କୁ ମଧ୍ୟ ଏହାର ଶୁଭଫଳ ମିଳେ। ଏହି ଦିନ କିଣିଥିବା ସୁନା ପିଢୀ ଅନୁଯାୟୀ ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ସୁନା ଏକ ମୂଲ୍ୟବାନ ଧାତୁ। ତେଣୁ ଏହି ଦିନରେ କିଣିଥିବା ସୁନା ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ଥିବାରୁ ଲୋକେ ସୁନା କିଣିଥାଆନ୍ତି।
୪- ଅକ୍ଷୟ ତୃତୀୟା ଦିନ ପ୍ରଖର ସୂର୍ୟ୍ୟଙ୍କ କିରଣ ପୃଥିବୀ ପୃଷ୍ଠରେ ପଡ଼ିଥାଏ। ସୂର୍ୟ୍ୟ ଖୁବ ଶକ୍ତିଶାଳୀ ହୋଇଥିବାରୁ ଏହି ଦିନ ସୁନା କିଣିବା ଶକ୍ତି ଶୁଭ ପ୍ରତୀକ ବୋଲି ବିଚାର କରାଯାଏ।
୫- କୌଣସି ଶୁଭ କାର୍ୟ୍ୟ କରିବା ପାଇଁ ଏହି ଦିନ ପାଞ୍ଜି ଦେଖିବାର ଆବଶ୍ୟକତା ନାହିଁ। ଏହି ଦିନ ଗୃହକୁ ସଫାସୁତୁରା କରି ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ଏହି ଦିନ ଯଦି ଆପଣ ସୁନା ନକିଣିପାରିବେ ଜାଣନ୍ତୁ ଅନ୍ୟ କେଉଁ ଦ୍ରବ୍ୟ କିଣିଲେ ଏହାର ଶୁଭଫଳ ମିଳିଥାଏ।
୬- ସୁନା ପରିବର୍ତ୍ତେ ଆପଣ ମା’ଲକ୍ଷୀଙ୍କର ରୂପାର ପାଦୁକା କିଣିପାରିବେ। ଏହାକୁ ପୂଜାର୍ଚ୍ଚନା କରି ନିଜ ପୂଜାକକ୍ଷରେ ସ୍ଥାପନ କରନ୍ତୁ। ଏପରି କରିବା ଦ୍ୱାରା ମା’ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
୭- ଏହିଦିନ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ।ମା’ଙ୍କ ବିଶେଷ କୃପା ମିଳିଥାଏ।
୮- ମାତ୍ର ଚଳିତ ବର୍ଷ କରୋନା କାରଣରୁ ତାଲାବନ୍ଦ ଥିବାରୁ ଜିନିଷ କିଣିବା ସମ୍ଭବ ନୁହେଁ। ତେଣୁ ଘରେ ମା’ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତୁ।