ରୋଡ ସେଫଟି ଓ୍ୱାର୍ଲଡ ସିରିଜ : ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ୱ ନେବେ ତେନ୍ଦୁଲକର
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ତାରିଖ (୨୨ଦିନ) ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ରୋଡ ସେଫଟି ଓ୍ୱାର୍ଲଡ ସିରିଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଓ୍ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ। ନ୍ୟୁଜିଲାଣ୍ଡ ଲିଜେଣ୍ଡ ଟିମ୍ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ସାମିଲ ହୋଇଛି ।
ଦେଶର ୪ଟି ସହର କାନପୁର, ରାଇପୁର, ଇନ୍ଦୋର ଓ ଡେରାଡୁନ୍ରେ ଅନୁଷ୍ଠିତ ହେବ। କାନପୁରରେ ଉଦ୍ଘାଟନୀ ଏବଂ ରାଇପୁରରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଅବସରପ୍ରାପ୍ତ ଖେଳାଳିମାନଙ୍କୁ ନେଇ ଖେଳାଯାଇଥାଏ। ଏଥିରେ ବିଭିନ୍ନ ଦେଶର ପୁରୁଖା ତଥା ଅବସରପ୍ରାପ୍ତ କ୍ରିକେଟର୍ମାନେ ଅଂଶଗ୍ରହଣ କରିବେ । ସବୁଠାରୁ ବଡ଼ କଥା ହେଲା ପ୍ରଥମ ସଂସ୍କରଣ ବିଜେତା ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ବ ନେବେ ଭାରତ ରତ୍ନ ପୁରଷ୍କାର ବିଜେତା କିମ୍ବଦନ୍ତୀ କ୍ରିକେଟର୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।
ସୂଚନା ଯେ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ ଏବଂ ଯୁବସେବା ଓ କ୍ରୀଡ଼ା ମନ୍ତ୍ରଣାଳୟ ଏହି ସିରିଜକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ଆମେରିକାର ଟ୍ବେଣ୍ଟିସେଭେନ୍ଥ ଇନଭେଣ୍ଟମେଣ୍ଟ କମ୍ପାନି ଏହାର ମାର୍କେଟିଂ ଦାୟିତ୍ବ ନେଇଥିବା ବେଳେ ପିଏମଜି ଏହାର ଇଭେଣ୍ଟ ମ୍ୟାନେଜର ରହିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ସଡ଼କ ସୁରକ୍ଷା ଦିଗରେ ଏହି ସିରିଜର ବିଶେଷ ଗୁରୁତ୍ୱ ରହିଛି । ସେହିପରି କେନ୍ଦ୍ର ସୂଚନା ପ୍ରସାରଣ ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସଡ଼କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହି ସିରିଜର ଯଥେଷ୍ଟ ମହତ୍ତ୍ୱ ରହିଛି ।