ସେପ୍ଟେମ୍ବର ୧୦ରେ ଶହୀଦ ବାଘାଯତୀନଙ୍କର ୧୦୭ତମ ସ୍ମୃତି ଦିବସ, ଜିଲାପ୍ରଶାସନର ପ୍ରସ୍ତୁତି
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ସଦ୍ଭାବନା ଗୃହରେ ଶହୀଦ ବାଘାଯତୀନଙ୍କର ୧୦୭ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ପାଳନ ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ତଥା ବାଘାଯତୀନ ବିକାଶ ପରିଷଦ ଓ ବାଘାଯତୀନ ବିକାଶ କମିଟି ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲାପାଳ ସ୍ୱାଗତିକା ଦାସ, ପୋଲିସର ବରିଷ୍ଠ ଅଧିକାର, ଜେଲ ସୁପରିନ୍ଟେଣ୍ଡେଣ୍ଟ, ସଦର ତଥା ରେମୁଣା ତହସିଲଦାର, ଅନ୍ୟାନ୍ୟ ଅଧିକାରୀ ବୃନ୍ଦଙ୍କ ସହ ବାଘାଯତୀନ ବିକାଶ ପରିଷଦ ଓ ବାଘାଯତୀନ ବିକାଶ କମିଟିର ସମ୍ପାଦକ ଓ ସଦସ୍ୟାସଦସ୍ୟମାନେ ଅଂଶଗ୍ରହଣ କରି ଏହି ସ୍ମୃତି ଦିବସର ସଫଳ ପାଳନ ଉପରେ ଆଲୋଚନା କରିଥିଲେ ।
ବାଘାଯତୀନ ଉନ୍ନୟନ ପରିଷଦର ସମ୍ପାଦକ ପଶ୍ଚିମବଙ୍ଗଳାରୁ ଏହି ଉତ୍ସବରେ ଭାଗ ନେବାକୁ ଆସୁଥିବା ଅତିଥିମାନଙ୍କ ସୁବିଧା/ସୂଯୋଗ ନିମନ୍ତେ ଜିଲା ପ୍ରଶାସନର ସହଯୋଗ କାମନା କରିଥିଲେ । ପୂର୍ବାହ୍ନ ୭ଟାରେ ସହରରେ ଅବସ୍ଥାପିତ ବରପୁତ୍ରମାନଙ୍କର ଠାରେ ମାଲ୍ୟାର୍ପଣରୁ ଆରମ୍ଭ ହୋଇ ଦିବସବ୍ୟାପୀ କାର୍ଯ୍ୟକ୍ରମର ଅଂଶସ୍ୱରୂପ ବାରବାଟି ବାଳିକା ଉଚ୍ଚବିଦ୍ୟାଳୟରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଚଷାଖଣ୍ଡ ଠାରେ କାର୍ଯ୍ୟକ୍ରମ, ଜେଲ ସ୍ଥିତ ଫାଶୀସ୍ଥଳରେ ମାଲ୍ୟାର୍ପଣ ଆଦି ସୂଚାରୁ ରୂପେ କରାଯିବାର ପ୍ରସ୍ତାବକୁ ଜିଲାପାଳ ସମର୍ଥନ କରିଥିଲେ । ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବାକୁ ଜିଲାପାଳ କହିଥିଲେ । ବାଘାଯତୀନ ଉନ୍ନୟନ କମିଟର କର୍ମକର୍ତ୍ତା ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବା ସହିତ ପ୍ରଶାସନର ସହଯୋଗ କାମନା କରିଥିଲେ । ଜିଲାପାଳ ଏହି ସ୍ମୃତି ଅନୁଷ୍ଠାନମାନଙ୍କରେ ଯୁବ ସଦସ୍ୟାସଦସ୍ୟମାନଙ୍କୁ ସାମିଲ କରି ପରମ୍ପରାକୁ ଏକ ନୂତନ ରୂପ ଦେବା ପାଇଁ ପରାମର୍ଶ ଦେଇଥିଲେ । ଜିଲାପାଳଙ୍କର ସମସ୍ତ ପ୍ରକାର ସହଯୋଗ ନିମନ୍ତେ ପରିଷଦ ଓ କମିଟିର କର୍ମକର୍ତ୍ତା ତଥା ସଦସ୍ୟାସଦସ୍ୟମାନେ ଧନ୍ୟବାଦ ଜ୍ଞାପନ କରିଥିଲେ ।