ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୨ ଦିନିଆ ଲିଡ଼ରସିପ କନକ୍ଳେଭ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ହାର୍ଟଫୁଲ ଏଜୁକେଶନ ଟ୍ରଷ୍ଟ, ହାଇଦରାବାଦର ମିଳିତ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ହାର୍ଟଫୁଲ କ୍ୟାମ୍ପସ ଶୀର୍ଷକ କର୍ମଶାଳା ବିଶ୍ୱବିଦ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ଯୋଗଦେଇ ହାର୍ଟଫୁଲ ଏଜୁକେଶନ ଟ୍ରଷ୍ଟର ସଦସ୍ୟ, ବିଶ୍ୱବିଦ୍ୟାଳୟରେ ଏକ ସୁସଙ୍ଗଠିତ ପରିବେଶର ନିର୍ମାଣରେ ଯୋଗର ଭୂମିକା ଓ ଉପାଦେୟତା ସମ୍ପର୍କରେ ସଚେତନତା ଆଣିବା ସହ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଯୋଗାଭ୍ୟାସ ଉପର ତାଲିମ ପ୍ରଦାନ କରିଥିଲେ । ଉକ୍ତ କର୍ମଶାଳାରେ ଏକ ସୁସ୍ଥ ମନ ଓ ସୁସ୍ଥ ଶରୀର ଗଠନରେ ଯୋଗାଭ୍ୟାସର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଏଆର କମାଣ୍ଡର ଅରବିନ୍ଦ ମହାନ୍ତି, ଇଂ. ଗନ୍ଧର୍ବ ବେହେରା, ଏନ୍ଭି କେଲଗୋନକାର ଓ ପ୍ରଣବ ମହାନ୍ତି ପ୍ରମୁଖ ଯୋଗଦେଇ ନିଜର ଅନୁଭୂତି ଓ ଯୋଗ ସମ୍ପର୍କୀୟ ଜ୍ଞାନ ବଣ୍ଟନ କରିଥିଲେ ।
ଉଦଯାପନୀ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଏହିପରି ଏକ ଅଭିନବ ପ୍ରୟାସ ଓ ସମର୍ପଣ ପାଇଁ ହାର୍ଟଫୁଲ ଏଜୁକେଶନ ଟ୍ରଷ୍ଟ, ହାଇଦରାବାଦର ସମସ୍ତ ସଦସ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ସୁସ୍ଥ ସମାଜ ଗଠନରେ ଯୋଗାଭ୍ୟାସ ଓ ଯୋଗଶିକ୍ଷାର ଉପାଦେୟତା ସମ୍ପର୍କରେ ନିଜର ମତାମତ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଯୋଗ ମାଧ୍ୟମରେ ଆମ ଦୈନନ୍ଦିନ ଜୀବନର ଅନେକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଯୋଗାଭ୍ୟାସ ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈଖିକ ବାତାବରଣ ଉର୍ଦ୍ଧ୍ୱମୂଖୀ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଫେସର ଅନିଲ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।