ସରିଲା ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ୧.୬୩ ଲକ୍ଷ ସିଟ୍ ଖାଲି
ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଲାଗି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪ ଲକ୍ଷ ୪ହଜାର ୪୦୦ଜଣଙ୍କୁ ସିଟ୍ ଆଲଟ୍ମେଣ୍ଟ ହୋଇଥିଲା। ସେଥିମଧ୍ୟରୁ ୩ ଲକ୍ଷ ୪୪ ହଜାର ୪୦୭ଜଣ ନାମ ଲେଖାଇଛନ୍ତି। ଆହୁରି ୧ ଲକ୍ଷ ୬୩ ହଜାର ସିଟ୍ ଖାଲି ରହିଛି।
କଳା ବିଭାଗରେ ନାମଲେଖା ଲାଗି ଚୟନ ହୋଇଥିବା ୨ ଲକ୍ଷ ୪୯ ହଜାର ୭୧୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୬୨୯, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୬୫୩ଜଣଙ୍କ ମଧ୍ୟରୁ ୯୭ ହଜାର ୭୩୪, ବାଣିଜ୍ୟରେ ୨୫ ହଜାର ୫ଜଣଙ୍କ ମଧ୍ୟରୁ ୨୧ ହଜାର ୫୨, ସଂସ୍କୃତରେ ୭୦୦୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୮୪୪ ଓ ଧନ୍ଦାମୂଳକ ବିଭାଗରେ ମନୋନୀତ ହୋଇଥିବା ୫୦୨୮ଜଣଙ୍କ ମଧ୍ୟରୁ ୪୧୪୮ଜଣ ନାମ ଲେଖାଇଛନ୍ତି। ପ୍ରମୁଖ କଲେଜଗୁଡ଼ିକରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କାଁ ଭାଁ ନାମକରା କଲେଜରେ ସିଟ୍ ଖାଲି ରହିଛି। ବିଜେବି ସମେତ ରମାଦେବୀ, ରେଭେନ୍ସା, ଏସ୍ସିଏସ୍, ଏସ୍ଭିଏମ୍, ଫକୀରମୋହନ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ଅଧିକାଂଶ ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମ ଲେଖାଇଛନ୍ତି। ଘରୋଇ କଲେଜଗୁଡ଼ିକର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅର୍ଧାଧିକ ସିଟ୍ ପୂରଣ ହୋଇଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ ସୁଦ୍ଧା ସ୍ଲାଇଡ୍-ଅପ୍ ଫର୍ମ ଅନ୍ଲାଇନ୍ରେ ପୂରଣ କରିପାରିବେ। ୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀ ୮ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ୧୫ ତାରିଖ ଅପରାହ୍ଣ ୨ଟାରେ ପ୍ରକାଶ କରାଯିବ। ୧୭ରୁ ୨୦ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।