ଲାଗିଲା କଟକଣା : ଗଣେଶ ମୂର୍ତ୍ତିର ଉଚ୍ଚତା ହେବ ୨୦ଫୁଟ୍
ନିୟମ ଉଲ୍ଲଂଘନ କଲେ ୭ହଜାର ଜରିମାନା
ଭୁବନେଶ୍ବର : ରାତି ପାହିଲେ ଗଣେଶ ପୂଜା । ମୂର୍ତ୍ତି ନିର୍ମାଣ ବିବାଦ ପରେ ଏବେ ଉଚ୍ଚତାକୁ ନେଇ କଟକଣା । ପୂଜା ମଣ୍ଡପରେ ମୂର୍ତ୍ତି ଉଚ୍ଚତା ରହିବ ୨୦ ଫୁଟ । ମେଢ଼ ସହ ମିଶି ୪୦ ଫୁଟ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ । ନିୟମ ଉଲ୍ଲଂଘନ କଲେ ୭ହଜାର ଜରିମାନା ।
ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ନିୟମ-୨୦୧୧’ ଆଧାରରେ କଟକଣା ଲଗାଯାଇଛି । ନିୟମ ଉଲ୍ଲଂଘନ କଲେ ୭ ହଜାର ଟଙ୍କା ଯାଏଁ ଜରିମାନ ଦେବାକୁ ପଡ଼ିବ । ପଞ୍ଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର ଦେବାକୁ ପଡ଼ିବ । ସେହିପରି ମହାନଗର ନିଗମ ଅଞ୍ଚଳର ପୂଜା କମିଟି ଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ସ୍ଥାନୀୟ ପ୍ରଶାସନ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଜରିମାନା ଆକାରରେ ଏହାକୁ ଆଦାୟ କରିବେ। ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ପ୍ରଦୂଷଣ ବୋର୍ଡର ଏପରି ନିୟମାବଳୀକୁ ନେଇ ଚିନ୍ତା ବଢି ଯାଇଛି ।
ପୂଜା କମିଟିଗୁଡ଼ିକ ଲାଗି ଜାରି ନିୟମାନୁଯାୟୀ ମୂର୍ତ୍ତି ନିର୍ମାଣରେ ପୋଡ଼ା ମାଟି ତଥା ପ୍ଲାଷ୍ଟର ଅଫ୍ ପାରିସ୍ ପରିବର୍ତ୍ତେ ପ୍ରାକୃତିକ ମୂର୍ତ୍ତିକା ବ୍ୟବହାର କରିବେ। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର, ପୂଜା ପରେ ମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନିତ ଅସ୍ଥାୟୀ ପୋଖରୀରେ ବିସର୍ଜନ, ବିସର୍ଜନ ପୂର୍ବରୁ ମୂର୍ତ୍ତି ଓ ମେଢ଼ରୁ ଫୁଲ ତଥା ସାଜସଜ୍ଜା ପଦାର୍ଥକୁ ପୌର କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ହୋଇଥିବା ସ୍ଥାନରେ ପକାଇବାକୁ କୁହାଯାଇଛି। ଏହାକୁ ବିସର୍ଜନ ସ୍ଥଳରେ ନ ପୋଡ଼ିବା, ସାଜସଜ୍ଜା ତଥା ପ୍ରସାଦ ବିତରଣ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ କିମ୍ବା ଥର୍ମୋକୁଲ୍ରେ ତିଆରି ଜିନିଷର ବ୍ୟବହାର ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଥିପ୍ରତି ଜିଲା ପ୍ରଶାସନ ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ। ମୂର୍ତ୍ତି ବିସର୍ଜନ ହେବାର ୨୪ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀ ମଧ୍ୟରୁ ବିସର୍ଜିତ ସାମଗ୍ରୀକୁ ବାହାର କରି ନିର୍ଦ୍ଦିଷ୍ଟ ମ୍ୟୁନିସିପାଲ ଡମ୍ପସାଇଟ୍କୁ ସ୍ଥାନାନ୍ତର କରିବେ। ଅସ୍ଥାୟୀ ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ ପରେ ନଦୀ ଓ ନାଳକୁ ନିଷ୍କାସିତ କରାଯିବ।