‘ମନ କି ବାତ୍’ରେ ଓଡ଼ିଶାର ନୂଆଖାଇ ପର୍ବ ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ତି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିଥିବା ‘ହର ଘର ତିରଙ୍ଗା’ ଅଭିଯାନ କଥା ସ୍ମରଣ କରି ଆଜି ଉକ୍ତ ଅଭିଯାନକୁ ବ୍ୟାପକ କରିଥିବା ଦେଶବାସୀଙ୍କୁ ‘ମନ୍ କୀ ବାତ୍’ର ୯୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ଏହି ବିଶେଷ ଅବସରରେ ଆମେ ଦେଶର ସାମୂହିକ ଶକ୍ତିକୁ ଦେଖିପାରିଛୁ । ଗୋଟିଏ ଚେତନାର ଅନୁଭୂତି ମିଳିଛି । ଏତେ ବଡ଼ ଦେଶ, ଏତେଗୁଡ଼ିଏ ବିବିଧତା, କିନ୍ତୁ ତ୍ରିରଙ୍ଗା ଉଡ଼ାଇବାର କଥା ଯେତେବେଳେ ଆସିଲା, ସେତେବେଳେ ପ୍ରତ୍ୟେକ ସେହି ଗୋଟିଏ ଭାବଧାରାରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଲା । ଲୋକେ ସ୍ୱୟଂ ତ୍ରିରଙ୍ଗାର ଗୌରବର ପ୍ରହରୀ ହୋଇ ଆଗେଇ ଆସିଲେ । ଅମୃତ ମହୋତ୍ସବର ଏହି ରଙ୍ଗ କେବଳ ଭାରତରେ ହିଁ ନୁହେଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲା । ବୋଟସ୍ୱାନାରେ ଥିବା ସ୍ଥାନୀୟ କଣ୍ଠଶିଳ୍ପୀମାନେ ଭାରତର ସ୍ୱାଧୀନତାରେ ୭୫ ବର୍ଷ ପାଳନ କରିବା ପାଇଁ ୭୫ଟି ଦେଶାତ୍ମବୋଧକ ଗୀତ ଗାଇଲେ । ଏଥିରେ ଆଉ ଗୋଟିଏ ବିଶେଷ କଥା ହେଲା, ଯେ ଏହି ୭୫ଟି ଗୀତ ହିନ୍ଦୀ, ପଞ୍ଜାବୀ, ଗୁଜରାଟି, ବଙ୍ଗଳା, ଅସମିଆ, ତାମିଲ, ତେଲୁଗୁ, କନ୍ନଡ଼ ଓ ସଂସ୍କୃତ ଭାଷାଗୁଡ଼ିକର ଥିଲା । ସେହିପରି ନାମିବିୟାରେ ଭାରତ-ନାମିବିୟାର ସାଂସ୍କୃତିକ-ପରମ୍ପରାଗତ ସମ୍ପର୍କକୁ ନେଇ ବିଶେଷ ଡାକଟିକଟ ଜାରି କରାଗଲା ।
ସେହିପରି ଦୂରଦର୍ଶନରେ ପ୍ରସାରିତ ହେଉଥିବା ସ୍ୱରାଜ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଆମ ସଂସ୍କୃତିରେ ହଜାର ହଜାର ବର୍ଷ ପୂର୍ବେ ଜଳ ଓ ଜଳ ସଂରକ୍ଷଣର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହି ଜ୍ଞାନକୁ ଯେତେବେଳେ ଆମେ ଆଜିର ପରିପ୍ରେକ୍ଷୀରେ ଦେଖୁଛୁ, ସେତେବେଳେ ରୋମାଂଚିତ ହୋଇଉଠୁଛୁ । କିନ୍ତୁ, ଏହି ଜ୍ଞାନକୁ ଦେଶ ଯେତେବେଳେ ନିଜର ସାମର୍ଥ୍ୟ ରୂପେ ଗ୍ରହଣ କରୁଛି ସେତେବେଳେ ଏହାର ଶକ୍ତି ଅନେକ ଗୁଣ ବୃଦ୍ଧି ପାଉଛି । ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ରେ ହିଁ ଚାରିମାସ ପୂର୍ବେ ମୁଁ ଅମୃତ ସରୋବର କଥା କହିଥିଲି । ତା ପରେ ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଲାଗିପଡ଼ିଲେ ଆଉ, ଦେଖୁ ଦେଖୁ ଅମୃତ ସରୋବର ନିର୍ମାଣ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ ହୋଇଯାଇଛି । ଯେତେବେଳେ ଦେଶ ପାଇଁ କିଛି କରିବାର ଭାବନା ଥାଏ, ନିଜ କର୍ତ୍ତବ୍ୟ ପ୍ରତି ସଚେତନତା ଥାଏ, ଆଗାମୀ ପିଢ଼ି ପାଇଁ ଚିନ୍ତା ଥାଏ, ସେତେବେଳେ ସାମର୍ଥ୍ୟ ଜୁଟିଯାଏ ଆଉ ସଂକଳ୍ପ ମହତ୍ ହୋଇଯାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅମୃତ ସରୋବର ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତୁ ଏବଂ ଜଳ ସଂଚୟ ଓ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଚେଷ୍ଟାକୁ ଆହୁରି ଶକ୍ତିଶାଳି କରନ୍ତୁ, ଏହାକୁ ଆଗେଇ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହା ବ୍ୟତୀତ ଆସାମର ବୋନଗାଇ ଗାଁରେ କୁପୋଷଣ ରୋକିବାକୁ ପ୍ରୋଜେକ୍ଟ ସମ୍ପୂର୍ଣ୍ଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଜାତିସଂଘ ଏକ ପ୍ରସ୍ତାବ ଗୃହୀତ କରି ୨୦୨୩ ବର୍ଷକୁ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍ସ ଘୋଷିତ କରିଛି । ଚେନ୍ନଇର ଶ୍ରୀଦେବୀ ବର୍ଦରାଜନ୍ ଜୀ ତାଙ୍କ ନିକଟକୁ ଦଶର ଏକ ମିଲେଟ୍ ମାନଚିତ୍ର ଦେଇଥିବା ସେ ପ୍ରକାଶ କରିଛନ୍ତି । ପର୍ବପର୍ବାଣୀର ଏହି ଋତୁରେ ଆମେ ଅଧିକାଂଶ, ଭୋଜନରେ ମଧ୍ୟ ମିଲେଟ୍ସର ଉପଯୋଗ କରୁ । ଆପଣ ନିଜ ଘରେ ତିଆରି ହେଉଥିବା ଏପରି ଭୋଜନର ଫଟୋ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ଶେୟାର୍ କରନ୍ତୁ, ଯେପରିକି ଲୋକଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ବଢ଼ିବାରେ ସହାୟତା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଇ କିଛିଦିନ ପରେ ହିଁ ଭଗବାନ ଗଣେଶଙ୍କ ଆରାଧନାର ପର୍ବ ଗଣେଶ ଚତୁର୍ଥୀ ପଡ଼ିବ । ଗଣେଶ ଚତୁର୍ଥୀ ମାନେ ଗଣପତିଙ୍କର ଆଶୀର୍ବାଦର ପର୍ବ । ଗଣେଶ ଚତୁର୍ଥୀ ପୂର୍ବରୁ ଆଉ ଏକ ପର୍ବ ‘ଓଣମ୍’ ମଧ୍ୟ ଆରମ୍ଭ ହେବ । ବିଶେଷକରି କେରଳରେ ଶାନ୍ତି ଓ ସମୃଦ୍ଧିର ଭାବନା ସହିତ ‘ଓଣମ୍’ ପାଳନ କରାଯିବ । ଅଗଷ୍ଟ ୩୦ ତାରିଖ ଦିନ ହରିତାଳିକା ତୃତୀୟା ମଧ୍ୟ ପଡ଼ୁଛି । ଓଡ଼ିଶାରେ ସେପ୍େଟମ୍ବର ୧ ତାରିଖ ଦିନ ନୂଆଖାଇ ପର୍ବ ମଧ୍ୟ ପାଳନ କରାଯିବ । ‘ନୂଆଖାଇ’ର ଉଦ୍ଦେଶ୍ୟ ହେଉଛି ନୂଆ ଖାଇବା । ଏହା ମଧ୍ୟ ଅନ୍ୟ ଉତ୍ସବମାନଙ୍କ ଭଳି ଆମ କୃଷି ପରମ୍ପରା ସହ ଜଡ଼ିତ ଏକ ପର୍ବ । ଏହାମଧ୍ୟରେ ଜୈନ ସମାଜର ସମ୍ବତ୍ସରୀ ପର୍ବ ମଧ୍ୟ ଆୟୋଜିତ ହେବ । ଆମର ଏହି ସମସ୍ତ ପର୍ବ ଆମର ସାଂସ୍କୃତିକ ସମୃଦ୍ଧି ଏବଂ ଜୀବନ୍ତତାର ପରିଚାୟକ । ଏହି ଉତ୍ସବ ଏବଂ ବିଶେଷ ଅବସରଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।